ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆଜି(ସୋମବାର) ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟତଃ ଦରଦାମ ବୃଦ୍ଧି, ଅସଂସଦୀୟ ଶବ୍ଦ ବିବାଦ ଓ ଅଗ୍ନିପଥ ଯୋଜନା ଉପରେ ଆଲୋଚନା ହୋଇଛି। ସରକାର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ବୈଠକରେ ଅନୁପସ୍ଥିତ ଥିଲେ। କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିଛି।

ସର୍ବଦଳୀୟ ବୈଠକ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ
ଦରଦାମ ବୃଦ୍ଧି ଓ ଅଗ୍ନିପଥ ଯୋଜନା ଉପରେ ଆଲୋଚନା

କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଉକ୍ତ ବିଷୟ ଉତ୍‌ଥାପନ କରିବା ସହିତ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିବା କ’ଣ ଅସଂସଦୀୟ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ବୈଠକରେ ଜଙ୍ଗଲ ଅଧିକାର ଆଇନ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ କଂଗ୍ରେସ ଘେରିଛି। ଜୟରାମ ରମେଶ କହିଛନ୍ତି, ଆଜିର ସର୍ବଦ‌ଳୀୟ ବୈଠକରେ ଅନେକ ବିରୋଧୀ ଦଳ ଓ ଏନଡିଏର କେତେକ ସହଯୋଗୀ ଦଳ ସରକାରଙ୍କ ଦୋମୁହାଁ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାର୍ଥୀ କରି ସରକାର ବାହାବା ନେଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ପଙ୍ଗୁ କରୁଛନ୍ତି।

ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ବୈଠକକୁ ୪୫ଟି ଦଳକୁ ଡକା ଯାଇଥିଲା। ସେଥିରୁ ୩୬ଟି ଦଳର ନେତା ଯୋଗ ଦେଇଥିଲେ। ସରକାର ସଂସଦରେ ଯେକୌଣସି ପ୍ରସଙ୍ଗର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଯୋଶୀ କହିଛନ୍ତି। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ବାଭାବିକ ପରିଚାଳନା ପାଇଁ ସରକାର ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ରାଜନାଥ ସିଂହ ଓ ପ୍ରହ୍ଲାଦ ଯୋଶୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ରାଜ୍ୟସଭାର ନେତା ପୀୟୂଷ ଗୋୟଲ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର