ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ : ସାମିଲ୍‌ ହୋଇନି ଓଡ଼ିଶା ବିଧାନ ପରିଷଦ ଗଠନ ବିଲ୍

ବିଜିନେସ୍‌ ଆଡ୍‌ଭାଇଜରି ବୈଠକ ଅନୁଷ୍ଠିତ
ଓଡ଼ିଶାର ୪ ଦିବଂଗତ ସାଂସଦଙ୍କ ପ୍ରତି ଆଗତ ହେବ ଶୋକ ପ୍ରସ୍ତାବ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରାଯିବା ନେଇ ସମ୍ବିଧାନ ସଂଶୋଧନ ବିଲ୍‌କୁ ତାଲିକାରେ ସ୍ଥାନ ମିଳିନାହିଁ। ୧୮ ଦିନିଆ କାର୍ଯ୍ୟଦିବସରେ ଆଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‌ଗୁଡ଼ିକୁ ଚଳିତ ଅଧିବେଶନରେ ସରକାର ପାରିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୧୭ଟି ବିଚାରାଧୀନ ଥିବା ବିଲ୍ ତଥା ୧୦ଟି ନୂଆ ବିଲ୍ ଚଳିତ ଅଧିବେଶନରେ ଆଗତ କରି ପାରିତ କରିବା ପାଇଁ ମଧ୍ୟ ସରକାର ସ୍ଥିର କରିଛନ୍ତି। ଏତଦ୍‌ବ୍ୟତୀତ ୫ଟି ବିଲ୍‌ଗୁଡ଼ିକ ଚଳିତ ଅଧିବେଶନରେ ପ୍ରତ୍ୟାହର କରିନିଆଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ମୌସୁମୀ ଅଧିବେଶନ ପୂର୍ବରୁ ପାରମ୍ପରିକ ସର୍ବଦଳୀୟ ବୈଠକ ଡକାଯାଇ ନ ଥିବାବେଳେ ଲୋକସଭା ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷକଙ୍କ ଦ୍ୱାରା ବିଜ୍‌ନେସ୍ ଆଡ୍‌ଭାଇଜରି ବୈଠକର ଆୟୋଜନ କରାଯାଇଥିଲା। ଲୋକସଭା ବାଚସ୍ପତି ଓମ୍‌ବିର୍ଲାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଯୋଗ ଦେଇଥିଲେ। ବୈଠକରେ କରୋନା ସମୟରେ ଅଧିବେଶନ ଡକାଯିବା ନେଇ ବାଚସ୍ପତିଙ୍କର ଭୂମିକାକୁ ପ୍ରଶଂସା କରାଯାଇଥିଲା ତଥା ବିଭିନ୍ନ ଦଳମାନଙ୍କ ଦ୍ୱାରା ସେମାନଙ୍କର ପ୍ରସଙ୍ଗକୁ ନେଇ ୧୫ ତାରିଖର ବିଜ୍‌ନେସ ଆଡ୍‌ଭାଇଜରି ବୈଠକରେ ବିସ୍ତୃତ ଆଲୋଚନା କରାଯିବ ବୋଲି ପିନାକୀ ମିଶ୍ର ‘ସମ୍ବାଦ’କୁ ସୂଚନା ଦେଇଥିଲେ। ସେହିଭଳି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ।

ଆସନ୍ତାକାଲି ରାଜ୍ୟସଭା ଅଧିବେଶନ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ପରଲୋକ ହୋଇଥିବା ଓଡ଼ିଶାର ୪ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ସନାତନ ବିସି, ଭବାନୀ ଚରଣ ପଟ୍ଟନାୟକ, ବିଷ୍ଣୁ ଚରଣ ଦାସ ଓ ନରେନ୍ଦ୍ର କୁମାର ସ୍ବାଇଁଙ୍କ ଶୋକ ପ୍ରସ୍ତାବ ଆଗତ କରାଯିବ।

ଅନ୍ୟପକ୍ଷରେ, ଚଳିତ ଅଧିବେଶନରେ ବିଭିନ୍ନ ବିଲ୍‌ଗୁଡ଼ିକୁ ପାରିତ କରିବା ସରକାରଙ୍କ ମୁଖ୍ୟ ଏଜେଣ୍ଡା ଥିବାବେଳେ ଓଡ଼ିଶାର ସାଂସଦମାନେ ବିଲ୍‌ର ଆଲୋଚନାରେ ଭାଗନେବା ସହିତ ରାଜ୍ୟ ସମ୍ପର୍କିତ ଏକାଧିକ ପ୍ରସଙ୍ଗ ସମ୍ପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ। ଚଳିତ ଅଧିବେଶନରେ ପ୍ରଶ୍ନୋତ୍ତର କାଳ ନଥିବାରୁ ସାଂସଦମାନେ ଶୂନ୍ୟକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ପ୍ରୟାସ କରିବେ। ଏତଦ୍‌ବ୍ୟତୀତ ଅଣତାରକା ପ୍ରଶ୍ନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସରକରାଙ୍କ ଠାରୁ ଉତ୍ତର ଲୋଡ଼ିବେ। ବିଜେଡି ତରଫରୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକୁ ଉପସ୍ଥାପନ କରାଯିବ ବୋଲି ରାଜ୍ୟସଭାର ବିଜେଡି ମୁଖ୍ୟ ସଚେତନ ସସ୍ମିତ ପାତ୍ର କହିଛନ୍ତି। ବିଜେପି ସାଂସଦମାନେ ସେମାନଙ୍କର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉଠାଇବା ପାଇଁ ଯୋଜନା କରୁଥିବାବେଳେ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍‌କା କରୋନା ଦୃଷ୍ଟିରୁ ଆଦିବାସୀ ଇଲାକାରେ ସ୍ବତନ୍ତ୍ର ପ୍ୟାକେଜ ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର