ଆସନ୍ତା କାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ୪୭ ପ୍ରସଙ୍ଗରେ ଆଲୋଚନା

ଅଧ୍ୟାଦେଶ ସ୍ଥାନରେ ଆଗତ ହେବ ୧୧ଟି ବିଲ

ଭୁବନେଶ୍ବର: ସୋମବାର ସେପ୍ଟେମ୍ବର ୧୪, ୨୦୨୦ ଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ରେ ଶେଷ ହେବ।

ଏହି ଅଧବେଶନର ମୋଟ ୧୮ ଦିନରେ ୧୮ଟି କାର୍ୟ୍ୟ ଦିବସ ରହିଛି (ଶନିବାର ଏବଂ ରବିବାର ମିଶାଇ ସବୁଦିନ କାର୍ୟ୍ୟଦିବସ ହେବ) ଏବଂ ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ। ଏଥିମଧ୍ୟରେ ୪୫ଟି ବିଲ ଏବଂ ୨ଟି ଆର୍ଥିକ ପ୍ରସଙ୍ଗ ରହିଛି। ଅଧ୍ୟାଦେଶ ସ୍ଥାନରେ ମୋଟ ୧୧ଟି ବିଲ ଆଗତ କରାଯିବ। ସେଗୁଡ଼ିକ ହେଲା: କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- ୨୦୨୦, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-୨୦୨୦, ହୋମିଓପାଥି କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦, ଭାରତୀୟ ଔଷଧୀୟ କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ-୨୦୨୦, ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- ୨୦୨୦, ବ୍ୟାଙ୍କିଂ ନିୟାମକ (ସଂଶୋଧନ) ବିଲ-୨୦୨୦, କରାଧାନ ଓ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ସରଳିକରଣ) ବିଲ-୨୦୨୦, ମହାମାରୀ ରୋଗ (ସଂଶୋଧନ) ବିଲ- ୨୦୨୦, ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦, ସାଂସଦମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦।

ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଳମ୍ବିତ ଆଇନ ସଦନରେ ଉପସ୍ଥାପନ କରାଯିବା ସହିତ ସେଗୁଡ଼ିକ ଅନୁମୋଦନ ଲାଭ କରିବାର ପ୍ରସ୍ତାବ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି: କୀଟନାଶକ ପରିଚାଳନା ବିଲ-୨୦୨୦, ଭାରତୀୟ ଔଷଧ ବ୍ୟବସ୍ଥା ପାଇଁ ଜାତୀୟ ଆୟୋଗ (ଏନସିଆଇଏମ) ବିଲ-୨୦୧୯ ରାଜ୍ୟ ସଭାରେ ଅନୁମୋଦିତ, ଲୋକସଭାରେ ପାସ ହୋଇଥିବା ଆୟୁର୍ବେଦ ଶିକ୍ଷାଦାନ ଓ ଗବେଷଣା ପ୍ରତିଷ୍ଠାନ ବିଲ-୨୦୨୦, ବିମାନ (ସଂଶୋଧନ) ବିଲ-୨୦୨୦, କମ୍ପାନୀ (ସଂଶୋଧନ) ବିଲ-୨୦୨୦, ଚିକିତ୍ସା ଗର୍ଭପାତ (ସଂଶୋଧନ) ବିଲ-୨୦୨୦, ସରୋଗେସି (ନିୟାମକ) ବିଲ-୨୦୨୦, ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ବିଲ-୨୦୨୦, ଜାତୀୟ ଫୋରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ ବିଲ୍-୨୦୨୦, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ-୨୦୨୦, ଆନ୍ତଃରାଜ୍ୟ ଜଳ ବିବାଦ (ସଂଶୋଧନ) ବିଲ-୨୦୨୦, ନଦୀବନ୍ଧ ସୁରକ୍ଷା ବିଲ-୨୦୧୯, ବୃହତ ବନ୍ଦର କର୍ତ୍ତୃପକ୍ଷ ବିଲ-୨୦୨୦, ସାମାଜିକ ସୁରକ୍ଷା ଓ କଲ୍ୟାଣ ସଂହିତା-୨୦୧୯, ପେସାଗତ ସୁରକ୍ଷା, ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ୟ୍ୟ ପରିସ୍ଥିତି ବିଲ-୨୦୧୯ ।

ଏହାଛଡ଼ା ଏହି ଅଧିବେଶନରେ କେତେକ ନୂଆ ବିଲ ଉପସ୍ଥାପନ, ବିବେଚନା ଓ ଅନୁମୋଦନ ଲାଭ କରିବାର ପ୍ରସ୍ତାବ ରହିଛି । ଦ୍ୱିପାକ୍ଷିକ ଆର୍ଥିକ ଚୁକ୍ତିନାମା ବିଲ-୨୦୨୦, ଫ୍ୟାକ୍ଟରିଙ୍ଗ୍ ରେଗୁଲେସନ୍ (ସଂଶୋଧନ) ବିଲ୍-୨୦୨୦, ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍- ୨୦୨୦, ଆନୁସଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି ପାଇଁ ଜାତୀୟ ଆୟୋଗ ବିଲ ୨୦୨୦, ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟମାବଳୀ) ବିଲ୍- ୨୦୨୦, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ- ୨୦୨୦, ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍-୨୦୨୦, ଜନ ପ୍ରତିନିଧି (ସଂଶୋଧନ) ବିଲ-୨୦୨୦, ସଫେଇ କର୍ମଚାରୀଙ୍କ ଅସ୍ଥାୟୀ ନିଯୁକ୍ତି ନିଷେଧ ଏବଂ ସେମାନଙ୍କର ପୁନର୍ବାସ (ସଂଶୋଧନ) ବିଲ-୨୦୨୦, କିଶୋର ନ୍ୟାୟ (ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା) ସଂଶୋଧନ ବିଲ- ୨୦୨୦, ବହୁମୁଖି ସମବାୟ ସମିତି (ସଂଶୋଧନ) ବିଲ-୨୦୨୦, ଜମ୍ମୁ ଓ କଶ୍ମୀର ସରକାରୀ ଭାଷା ବିଲ-୨୦୨୦ ।

ଏହି ଅଧିବେଶନ କାଳରେ କେତେକ ବିଲର ଉଚ୍ଛେଦ ମଧ୍ୟ କରାଯିବ ସେଥିମଧ୍ୟରେ ରହିଛି : ଆନୁସଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି ବିଲ-୨୦୧୮, ଖଣି (ସଂଶୋଧନ) ବିଲ ୨୦୧୧, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟାମକ ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୧୧, କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩, ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦଗୁଡିକର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ୍, ୨୦୧୩ । କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ସଂସଦ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ।

ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ୟ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ଟାର ୭ଟା ପର୍ୟ୍ୟନ୍ତ କାର୍ୟ୍ୟ ଚାଲିବ। ତେବେ ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ବେଳା ଅନୁଷ୍ଠିତ ହେବ। ଶାରୀରିକ ଦୂରତା ରକ୍ଷା ଉଦ୍ଦେଶ୍ୟରେ ସାଂସଦମାନଙ୍କ ବସିବା ସ୍ଥାନରେ ଯଥେଷ୍ଟ ବ୍ୟବଧାନ ରଖାଯିବ। ସାଂସଦମାନେ ଉଭୟ ସଦନର ଚାମ୍ବର ସହିତ ଗ୍ୟାଲେରିରେ ବସିବେ। ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ କରିବା ଲାଗି ମୋବାଇଲ ଆପର ପ୍ରଚଳନ କରାଯିବ। ସଦନରେ ପଲିକାର୍ବନ ଶିଟ ଜରିଆରେ ଆସନଗୁଡ଼ିକୁ ପୃଥକୀକରଣ କରାଯିବ। ଏହି ଅଧିବେଶନରେ ଶୂନ୍ୟକାଳ ରହିବ ଏବଂ ଅଣତାରକା ପ୍ରଶ୍ନଗୁଡ଼ିକ ଟେବୁଲରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର