ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିବସ। ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ପ୍ରବଳ ହଙ୍ଗାମା ଯୋଗୁଁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଆଜି ତୃତୀୟ ଦିନରେ ବି ମୁଲତବି କରାଯାଇଛି। ଲଗାତାର ୩ ଦିନ ଧରି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରୁନାହିଁ। ବିରୋଧୀ ସାଂସଦମାନେ ଜିଏସ୍ଟି ବୃଦ୍ଧି, ଦରବୃଦ୍ଧି ନେଇ ସଂସଦରେ ଲଗାତାର ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାଚସ୍ପତି ଓମ୍ ବିର୍ଲା ଆଜି ବିରୋଧୀ ସାଂସଦଙ୍କୁ ଆଶ୍ବସ୍ତ କରିଥିଲେ।
ଶୂନ୍ୟକାଳରେ ସେମାନଙ୍କ ଦ୍ବାରା ଅଣାଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ବିର୍ଲା କହିଥିଲେ। କିନ୍ତୁ ସାଂସଦମାନେ କିଛି ଶୁଣିନଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ଆବଶ୍ୟକ କଂଗ୍ରେସ ଆଲୋଚନା ଚାହେ ନା’ ଗୃହରେ ହଟ୍ଟଗୋଳ ଚାହେ ତାହା ପ୍ରଥମେ ସ୍ଥିର କରୁ ବୋଲି ସେ କହିଥିଲେ। ଗୃହରେ ଘୋର ବିଶୃଙ୍ଖଳା ହେବାରୁ ବାଚସ୍ପତି ଗୃହକାର୍ଯ୍ୟ ଅପରାହ୍ନ ୨ଟା ପର୍ଯନ୍ତ ମୁଲତବୀ ରଖିଥିଲେ। ୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସଦସ୍ୟ ପୁଣିଥରେ ‘ଗବ୍ବର ସିଂହ ଷ୍ଟ୍ରାଇକ୍ସ ଏଗେନ୍’ ପୋଷ୍ଟର ଧରି ଗୃହରେ ହଟ୍ଟଗୋଳ କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଆସି ଜିଏସ୍ଟି ରେଟ୍ ବିରୋଧରେ ସ୍ଲୋଗାଦ ଦେବା ଜାରି ରଖିଥିଲେ। ଏହାପରେ ଗୃହକୁ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ଏବଂ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଜିଏସ୍ଟି ଏବଂ ଦରବୃଦ୍ଧିକୁ ନେଇ ବିରୋଧୀ ସଦସ୍ୟ ରାଜ୍ୟସଭାରେ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ କାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ରାଜ୍ୟସଭା କାର୍ଯ୍ୟ ଆସନ୍ତାକାଲି ପୂବାହ୍ନ ୧୧ଟାରେ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5d4g6d5j4g65jd4g65jd4gj65gjd.jpg)