ଯୁଦ୍ଧକୁ ମାସେ ପୂରିଲା: ସବୁଠି ଛାରଖାର ସ୍ଥିତି, ଅର୍ଦ୍ଧାଧିକ ଶିଶୁ ବିସ୍ଥାପିତ
ବିଶ୍ବବ୍ୟାପୀ ପ୍ରତିବାଦ ପାଇଁ ଆହ୍ବାନ ଦେଲେ ଜେଲେନ୍ସ୍କି
କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଆଜି ମାସେ ପୂରିଛି। ଫେବ୍ରୁଆରି ୨୪ ତାରିଖରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅପରେସନ୍ ଘୋଷଣା କରିଥିଲେ। ରୁଷ୍ ଏହାକୁ ସାମରିକ ଅପରେସନ୍ ବୋଲି କହିଥିଲେ ସୁଦ୍ଧା ଏହା ସମଗ୍ର ୟୁକ୍ରେନ୍ ବିରୋଧରେ ଏକ ଭୀଷଣ ଯୁଦ୍ଧର ରୂପ ନେଇଛି। ରୁଷ୍ ୟୁକ୍ରେନ୍ର ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିବା ସହ ଗୁରୁତ୍ବପୂର୍ଣ୍ଣ ଖାରକିଭ, ଖେରସନ, ସୁମି, ଚେର୍ଣ୍ଣିହିବ୍, ଜାପୋରିଜିଆ, ମାରିୟୁପୋଲ ସମେତ ୨୦ଟି ସହରରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ଯୁଦ୍ଧ ଯୋଗୁଁ ୧ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ୟୁକ୍ରେନ୍ ରାଜଧାନୀ କିବ୍ ଦଖଲ ପାଇଁ ରୁଷ୍ର ଆକ୍ରମଣ ଜାରି ରହିଛି। ତୁହାକୁ ତୁହା ବୋମାମାଡ଼, କ୍ଷେପଣାସ୍ତ୍ର ପ୍ରୟୋଗ ଏବଂ ଗୋଳା ବର୍ଷା ଯୋଗୁଁ ଅନେକ ସହର ସଂପୂର୍ଣ୍ଣ ଛାରଖାର ହୋଇଯାଇଛି। ଗୋଟିଏ ମାସର ଯୁଦ୍ଧ ମଧ୍ୟରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଖାରକିଭ୍ ଏବଂ ମାରିୟୁପୋଲ୍ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ମାରିୟୁପୋଲ୍ରେ ପ୍ରତିଦିନ ୫୦ରୁ ୧୦୦ ବୋମା ପଡ଼ୁଛି। ୟୁକ୍ରେନ୍ ଯୁଦ୍ଧ ନେଇ ଆଜି ବ୍ରସେଲ୍ସରେ ନାଟୋ ନେତାମାନଙ୍କ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯୁଦ୍ଧକୁ ମାସେ ପୂରିଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ଆଜି ବିଶ୍ବବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଛନ୍ତି। ଜେଲେନ୍ସ୍କି ଗତକାଲି ବିଳମ୍ବିତ ରାତିରେ ଟିଭିରେ ଉଦ୍ବୋଧନ ଦେଇ କହିଥିଲେ ରୁଷ୍ ବିଶ୍ବକୁ ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି। ୟୁକ୍ରେନ୍କୁ ସମର୍ଥନ ପାଇଁ ଓ ସ୍ବାଧୀନତାକୁ ସମର୍ଥନ କରିବାପାଇଁ ଲୋକେ ସବୁ ସ୍ତରରେ ବିରୋଧ ଓ ପ୍ରତିବାଦ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ମାରିୟୁପୋଲ୍ରେ ଏବେ ବିନା ଖାଦ୍ୟ ଏବଂ ପାଣିରେ ଲକ୍ଷାଧିକ ଲୋକ ଫସି ରହିଛନ୍ତି ବୋଲି ଜେଲେନ୍ସ୍କି କହିଛନ୍ତି। ଜି୭, ନାଟୋ ନେତାଙ୍କୁ ଉଦ୍ବୋଧନ ଦେଇ ଜେଲେନସ୍କି ସେମାନଙ୍କୁ ଅଧିକ ଅତ୍ୟାଧୁନିକ ଅସ୍ତ୍ର ଯୋଗାଣ ପାଇଁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୁଦ୍ଧ ଯୋଗୁଁ ମାସକ ମଧ୍ୟରେ ହଜାର ହଜାର ଅଧିକ ଘର ଭାଙ୍ଗି ଯାଇଛି। ୫୦୦ ସ୍କୁଲ୍ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଧ୍ବଂସ ହୋଇଛି। ଯୁଦ୍ଧ ଯୋଗୁଁ ୟୁକ୍ରେନ୍ର ଅର୍ଦ୍ଧାଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ୧୮ ଲକ୍ଷରୁ ଅଧିକ ଶିଶୁ ଶରଣାର୍ଥୀ ଭାବେ ୟୁକ୍ରେନ୍ ଛାଡ଼ିଥିବା ବେଳେ ୨୫ ଲକ୍ଷରୁ ଅଧିକ ଶିଶୁ ଦେଶ ମଧ୍ୟରେ ଅନ୍ୟ ସ୍ଥାନକୁ ବିସ୍ଥାପିତ ହୋଇଛନ୍ତି। ତେବେ ଦେଶର ମୋଟ୍ ୭୫ ଲକ୍ଷ ଶିଶୁଙ୍କ ମଧ୍ୟରୁ ପ୍ରାୟ ୪୩ ଲକ୍ଷ ଶିଶୁ ଦେଶ ଛାଡ଼ି ସାରିଛନ୍ତି। ଜାତିସଂଘ ମାନବାଧିକାର ଅଫିସ୍ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ଯୁଦ୍ଧ ଯୋଗୁଁ ୮୧ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ୧୦୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ୬୪ ଥର ଆକ୍ରମଣ ହୋଇଛି। ଜାତିସଂଘ ଶିଶୁ ସଂସ୍ଥାର ଆକଳନ ଅନୁଯାୟୀ ୧୪ ଲକ୍ଷ ଲୋକଙ୍କ ନିକଟରେ ସ୍ବଚ୍ଛ ପାନୀୟ ଜଳ ନାହିଁ। ୪୬ ଲକ୍ଷ ଲୋକଙ୍କ ନିକଟରେ ଖୁବ୍ କମ୍ ପାଣି ଅଛି। ୬ରୁ ୨୩ ମାସ ମଧ୍ୟରେ ୪୫୦,୦୦୦ରୁ ଅଧିକ ଶିଶୁଙ୍କୁ ତତ୍କାଳ ଖାଦ୍ୟ ସହାୟତା ଆବଶ୍ୟକ। ଇତି ମଧ୍ୟରେ ମାରିୟୁପୋଲ୍ରୁ ମାସକ ମଧ୍ୟରେ ପ୍ରାୟ ୧୫,୦୦୦ ଲୋକଙ୍କୁ ବେଆଇନ ଭାବେ ରୁଷ୍ ପଠାଯାଇଛି। ଯୁଦ୍ଧ ପାଇଁ ରୁଷ୍ରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। କିବ୍ ଇଣ୍ଡିପେଣ୍ଡେଣ୍ଟ୍ ରିପୋର୍ଟ ଅନୁଯାୟୀ ଯୁଦ୍ଧରେ ରୁଷ୍ ୧୬,୦୦୦ ସୈନିକଙ୍କୁ ହରାଇଥିବାବେଳେ ରୁଷ୍ର ୧୦୮ ବିମାନ, ୧୨୪ ହେଲିକପ୍ଟର , ୫୩୦ ଟ୍ୟାଙ୍କ୍ ଏବଂ ୧୨୯୦ ସାମରିକ ଯାନ ଧ୍ବଂସ ହୋଇଯାଇଛି।