‘ମୁଡ୍‌ ଅଫ୍‌ ଦି ନେସନ୍‌’ ସର୍ଭେ: ମୋଦୀଙ୍କ ସହିତ ୭୪% ଭାରତୀୟ

ହିନ୍ଦୁତ୍ବ ପ୍ରସଙ୍ଗକୁ ଗୁରୁତ୍ବ ଅଧିକ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ସଂକଟ ଭିତରେ ଭାରତୀୟଙ୍କ ମନରେ ବିଭିନ୍ନ ପ୍ରସଙ୍ଗରେ ଏକରକମ ଅନିଶ୍ଚିତତା ଭରିଯାଇଥାଇ ପାରେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକଙ୍କ ଭରସା ଅତୁଟ ରହିଛି। ‘ମୁଡ୍‌ ଅଫ୍‌ ଦି ନେସନ୍‌’ ଜନମତରୁ ଏଭଳି ନିର୍ଯ୍ୟାସ ମିଳିପାରିଛି। ପ୍ରାୟ ଗତ ବର୍ଷ ସାରା ମହାମାରୀ କୋଭିଡ୍‌ ଯୋଗୁଁ ଦେଖାଦେଇଥିବା ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ସଂକଟ ଓ ଆର୍ଥିକ ଆହ୍ବାନ ମଝିରେ ଲଦାଖ ସୀମାରେ ଚୀନ୍‌ ସୈନିକଙ୍କ ଅତିକ୍ରମଣ ବିବାଦ ସହ ମୋଦୀଙ୍କୁ ଯୁଝିବାକୁ ପଡ଼ିଥିଲା। ଏ ପରିପ୍ରେକ୍ଷୀରେ ଉଭୟ ସଂକଟ ଓ ସଂଘର୍ଷ ବେଳେ ମୋଦୀଙ୍କ ପଦକ୍ଷେପଗୁଡ଼ିକ ଢେର୍ ସମାଲୋଚନାର ଶରବ୍ୟ ହୋଇଥିଲା। କୋଭିଡ୍‌ ସଂକ୍ରମଣରୁ ମୁକୁଳିବା ପାଇଁ ଗତବର୍ଷ ମାର୍ଚ୍ଚ ୨୪ ତାରିଖରେ ସେ ଘୋଷଣା କରିଥିବା ଲକ୍‌ଡାଉନ୍‌ ସ୍ଥିତି ଲକ୍ଷ ଲକ୍ଷ ଜନତାଙ୍କ ଜୀବିକା ଛଡ଼ାଇନେଇ ଦାଦନ ଶ୍ରମିକମାନଙ୍କୁ ଘରବାହୁଡ଼ା ହେବାକୁ ବାଧ୍ୟ କରିଥିଲା। ଫଳରେ ଦେଶର ଜିଡିପି ନୂତନ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।

ସେହିପରି ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍‌ ଆକ୍ରାନ୍ତ ରାଷ୍ଟ୍ରର ଅପକୀର୍ତ୍ତି ମୁଣ୍ଡାଇଥିବା ଭାରତରେ କୋଟିଏ ୬ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହେବା ଘଟଣା ମୋଦୀଙ୍କ ଲକ୍‌ଡାଉନ୍‌ର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ଲଗାଇଥିଲା। ତେବେ ଇଣ୍ଡିଆ ଟୁଡେ ଦ୍ବାରା ପରିଚାଳିତ ୨୦୨୧ ଜାନୁଆରି ‘ମୁଡ୍‌ ଅଫ୍‌ ଦି ନେସନ୍‌’ ସର୍ବେକ୍ଷଣରେ ୭୪ ପ୍ରତିଶତ ଭାରତୀୟ ମୋଦୀଙ୍କ ପ୍ରଦର୍ଶନକୁ ସର୍ବୋତ୍ତମ ବା ଅତି ଉତ୍ତମ ଭାବେ ବିବେଚନା କରିଛନ୍ତି। ଅବଶ୍ୟ ୨୦୨୦ ଅଗଷ୍ଟରେ ତାଙ୍କର ଏହି ଲୋକପ୍ରିୟତା ୭୮ ପ୍ରତିଶତ ପରି ସାମାନ୍ୟ ଅଧିକ ରହିଥିଲା। ଶାସନର ସପ୍ତମ ବର୍ଷରେ ତାଙ୍କ ପ୍ରତି ଦେଶବାସୀଙ୍କର ଏପରି ଭରସା ରହିବା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କୁହାଯାଉଛି।

ସେହିପରି ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ମାନ୍ୟତାରେ ମଧ୍ୟ ମୋଦୀ(୩୮%), ଅଟଳ ବିହାରୀ ବାଜପେୟୀ(୧୮%), ଇନ୍ଦିରା ଗାନ୍ଧି(୧୧%), ଜବାହରଲାଲ ନେହରୁ(୮%) ଓ ଡ. ମନମୋହନ ସିଂହ(୭%)ଙ୍କ ଠାରୁ ଢେର ଆଗରେ ରହିଛନ୍ତି। ସେହିପରି ତାଙ୍କ ସରକାରର ମୋଟାମୋଟି ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିବା ଜଣାଯାଇଛି। ଏଥିରେ ୬୬ ପ୍ରତିଶତ ଦେଶବାସୀ ଅତି ମାତ୍ରାରେ ସନ୍ତୁଷ୍ଟ ଅଥବା ସନ୍ତୁଷ୍ଟ ବୋଲି କହିଛନ୍ତି। ସେହିପରି ବିଜେପିର ପଥପ୍ରଦର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଦ୍ବାରା ଆହୂତ ହିନ୍ଦୁତ୍ବ ପ୍ରସଙ୍ଗକୁ ମୋଦୀ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ବେଶୀ ଗୁରୁତ୍ବ ଦେଉଥିବା ଜଣାଯାଇଛି। ଅପରପକ୍ଷେ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବାଟ ଫିଟାଇବା ଓ ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଇବା ହେଉଛି ମୋଦୀ ସରକାରଙ୍କ ସବୁଠୁ ବଡ଼ ଉପଲବ୍‌ଧି ବୋଲି ଏହି ସର୍ବେକ୍ଷଣରୁ ଜଣାଯାଇଛି।

ସମ୍ବନ୍ଧିତ ଖବର