ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ ସକ୍ରିୟ ମାମଲା, ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ହଠାତ୍‌ କରୋନାଭାଇରସ୍‌ ସଂକ୍ରମଣ ବଢ଼ିଯାଇଛି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ଏବେ ସର୍ବାଧିକ ସକ୍ରିୟ ମାମଲା ରହିଛି। ରାଜ୍ୟମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ଏବେ ୩୯ ହଜାର ୯୩୫ ସକ୍ରିୟ ମାମଲା ଥିବାବେଳେ ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ ୧୪ ହଜାର ୪୫୬ ସକ୍ରିୟ ମାମଲା ରହିଛି। ତାମିଲନାଡ଼ୁ ଏବଂ ଗୁଜରାଟଠାରୁ ଦିଲ୍ଲୀରେ ସକ୍ରିୟ ମାମଲା ଯଥେଷ୍ଟ ଅଧିକ ରହିଛି। ତାମିଲନାଡ଼ୁରେ ସକ୍ରିୟ ମାମଲା ୧୨ ହଜାର ୧୩୫ ଥିବାବେଳେ ଗୁଜରାଟରେ ସକ୍ରିୟ ମାମଲା ୪ ହଜାର ୭୭୯ ରହିଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲା ହଠାତ୍‌ ବଢ଼ିଯିବାରୁ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ହୋଇଛି। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ମାମଲା ୧ ହଜାରରୁ ଅଧିକ ରହୁଛି। ମେ’ ୨୮ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୧ ହଜାର ଥିଲା। ତେବେ ଏହା ପରଠାରୁ ଲଗାତାର ଦିଲ୍ଲୀ‌ରେ ୧ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି। କେବଳ ଜୁନ୍‌ ୧ ତାରିଖ‌ରେ ଦିଲ୍ଲୀରେ ୯୯୦ ମାମଲା ଚିହ୍ନଟ ହୋଇଥିଲା। ଗତକାଲି ଦିଲ୍ଲୀରେ ୧୩୫୯ ନୂଆ ମାମଲା ଚିହ୍ନଟ ହୋଇଥିଲା।

ଦିଲ୍ଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଯାଇଛି। ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲାର କେବଳ ୨୩ ପ୍ରତିଶତ ତଥା ୩,୩୦୭ ଜଣଙ୍କ ପାଇଁ ହସ୍ପିଟାଲ୍‌ରେ ଚିକିତ୍ସା ‌ଲୋଡ଼ା। ଅଧିକାଂଶ ଲୋକ ତଥା ୬୫ ପ୍ରତିଶତ ହୋମ୍‌ ଆଇସୋଲେସନ୍‌ରେ ଥିବାବେଳେ ଅନ୍ୟମାନେ କୋଭିଡ୍‌ କେୟାର ସେଣ୍ଟର୍‌ରେ ଆଇସୋଲେସନ୍‌ରେ ରହିଛନ୍ତି। ସଂକ୍ରମଣ ବଢ଼ିବାରୁ ଦିଲ୍ଲୀରେ କେତେକ ସରକାରୀ ପରିଚାଳିତ ହସ୍ପିଟାଲ୍‌ ତଥା ରାଜୀବ ଗାନ୍ଧୀ ସୁପର୍‌ ସ୍ପେସାଲିଟି ହସ୍ପିଟାଲ୍‌, ଜିଟିବି, ଲୋକ ନାୟକ, ଦୀପ ଚାନ୍ଦ ବନ୍ଧୁ ଏବଂ ଶ୍ରୀ ରାଜା ହରୀଶ ଚନ୍ଦ୍ର ହସ୍ପିଟାଲ୍‌ ଆସନ୍ତା ୩ ସପ୍ତାହ ମଧ୍ୟରେ ସେମାନଙ୍କ ଚିକିତ୍ସା ସୁବିଧା ବଢ଼ାଇବାପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର