ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁସେନାର ଶକ୍ତିକୁ ଆଶାତୀତ ଭାବେ ବଢ଼ାଇବ। ଆସନ୍ତାକାଲି ଔପଚାରିକ ଭାବେ ରାଫେଲ୍ ଭାରତୀୟ ବାୟୁସେନାରେ ସାମିଲ ହେବ। ଫ୍ରାନ୍ସର ଡାସଲ୍ଟ୍ ଏଭିଏସନ୍ ଦ୍ବାରା ନିର୍ମାଣ ହୋଇଥିବା ଏହି ଯୁଦ୍ଧ ବିମାନରେ ୨ଟି ଇଂଜିନ୍ ଥିବାବେଳେ ଏହା ଏକସଙ୍ଗେ ଏକାଧିକ ଦାୟିତ୍ବ ସମ୍ପାଦନ କରିପାରୁଥିବା ଏକ ଯୁଦ୍ଧ ବିମାନ। ଭାରତୀୟ ବାୟୁସେନାରେ ପୂର୍ବରୁ ସକ୍ରିୟ ଥିବା ମିରାଜ, ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ, ତେଜସ୍ ଏଲ୍ସିଏ ପରେ ଏବେ ରାଫେଲ୍ ସାମିଲ ହୋଇ ବାୟୁସେନା ଶକ୍ତିକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ।
ରାଫେଲ୍, ସୁଖୋଇ ଏବଂ ତେଜସ୍ ମଧ୍ୟରେ ଏକ ତୁଳନାତ୍ମକ ବର୍ଣ୍ଣନା
ରାଫେଲ୍ର ବହୁମୁଖୀ ରାଡାର ଏକ ସମୟରେ ୪୦ଟି ଟାର୍ଗେଟ୍କୁ ଚିହ୍ନଟ କରିପାରିବ। ୧୦୦ରୁ ଊର୍ଦ୍ଧ୍ବ କିମି ଅଞ୍ଚଳ ମଧ୍ୟରେ ଏହା ୪୦ ଟି ଟାର୍ଗେଟ୍କୁ ଚିହ୍ନଟ କରିବ। ଏହାର ସ୍ପେକ୍ଟ୍ରା ଏବଂ ଏକୀକୃତ ସୁରକ୍ଷା ସହାୟତା ପ୍ରଣାଳୀ ରହିଛି। ଶତ୍ରୁ ପକ୍ଷର ରାଡାର ସିଗ୍ନାଲ୍କୁ ଏହା ଜାମ୍ କିମ୍ବା କାଉଣ୍ଟର୍ ଜାମ୍ କରିପାରେ। ଏକ ସମୟରେ ଏହା ୬ଟି ଏଏଏସ୍ଏମ୍ କ୍ଷେପଣାସ୍ତ୍ର ବହନ କରିପାରିବ। ଏଫ୍-୧୬ ଅପେକ୍ଷା ରାଫେଲ୍ ଯଥେଷ୍ଟ ଅଧିକ ଅସ୍ତ୍ର ବହନ କରିପାରିବ। ତେଣୁ ଏହା ଏଫ୍-୧୬ଠାରୁ ଯଥେଷ୍ଟ ଶକ୍ତିଶାଳୀ। ରାଫେଲ୍ ଶତ୍ରୁପକ୍ଷକୁ ଟାର୍ଗେଟ୍ କରିବାପାଇଁ ଭାରର ବାୟୁସୀମାକୁ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ଶତ୍ରୁ ପକ୍ଷର ଅଞ୍ଚଳର ୬୦୦ କିମି ଦୂରରୁ ମଧ୍ୟ ରାଫେଲ୍ ଟାର୍ଗେଟ୍କୁ ମାଡ଼ କରିପାରିବ। ଏହା ୯,୫୦୦ କିଲୋଗ୍ରାମ୍ ବିସ୍ଫୋରକ ଏବଂ ଯୁଦ୍ଧାସ୍ତ୍ର ବହନ କରିପାରିବ। ବିମାନରେ ଥିବା ତୋପରୁ ପ୍ରତି ମିନିଟ୍ରେ ୨,୫୦୦ ରାଉଣ୍ଡ୍ ଗୁଳି ଫୁଟାଇ ହେବ। ଅନ୍ୟପକ୍ଷେ ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ଭାରତୀୟ ବାୟୁସେନାରେ ଏବେ କାର୍ଯ୍ୟରତ ଥିବା ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ। ସୁଖୋଇ ଭାରତରେ ହାଲ୍ ଦ୍ବାରା ନିର୍ମାଣ ହୋଇଛି। ତେବେ ରୁଷ୍ର ସୁଖୋଇ ସହ ଲାଇସେନ୍ସ ଚୁକ୍ତି ଅଧୀନରେ ଏହା ନିର୍ମାଣ ହୋଇଛି। ଘଣ୍ଟାକୁ ୨୧୨୦ କିମି ବେଗରେ ଏହା ଉଡ଼ିପାରିବ। ରାଡାର ଠାରୁ ଆରମ୍ଭ କରି ବିସ୍ଫୋରକ ଏବଂ ଏପରିକି ରକେଟ୍ ମଧ୍ୟ ଏହା ବହୁ ପରିମାଣରେ ବହନ କରିପାରିବ। ଏହା ଏକ ସମୟରେ ୮ ହଜାର କେଜିର ଯୁଦ୍ଧାସ୍ତ୍ର ବହନ କରିପାରିବ। ଏଥିରେ ଦୁଇଟି ଇଂଜିନ୍ ରହିଛି ଏବଂ ଏହା ଏକ ସମୟରେ ଏକାଧିକ ଲକ୍ଷ୍ୟ ହାସଲ କରିପାରିବ। ପରମାଣୁ ଆକ୍ରମଣରେ ମଧ୍ୟ ଏହାକୁ ବ୍ୟବହାର କରିହେବ। ସେହିପରି ବାୟୁସେନାର ଅନ୍ୟ ଏକ ଯୁଦ୍ଧ ବିମାନ ହେଉଛି ମିରାଜ୍-୨୦୦୦। ଏହା ୧୯୮୫ରେ ସାମିଲ୍ ହୋଇଥିଲା।
ମିରାଜ୍ ଡାସଲ୍ଟ ଏଭିଏସନ୍ ଦ୍ବାରା ନିର୍ମାଣ ହେଇଛି ଏବଂ ଏହାର ପ୍ରଥମ ଉଡ଼ାଣ ହୋଇଥିଲା ୧୯୭୮ରେ । ୧୯୮୪ରେ ଏହା ଫ୍ରାନ୍ସ ବାୟୁସେନାରେ ସାମିଲ ହୋଇଥିଲା। ପାକିସ୍ତାନ ଆମେରିକାଠାରୁ ଏଫ୍-୧୬ କିଣିବା ପରେ ଭାରତ ୧୯୮୨ରେ ଫ୍ରାନ୍ସଠାରୁ ମିରାଜ୍ -୨୦୦୦ କିଣିଥିଲା। ୧୯୯୯ କାର୍ଗିଲ ଯୁଦ୍ଧରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲା। ଅନ୍ୟପକ୍ଷେ ତେଜସ୍ ଏଲ୍ସିଏ ହେଉଛି ଭାରତର ପ୍ରଥମ ସ୍ବଦେଶୀ ନିର୍ମିତ ଯୁଦ୍ଧ ବିମାନ। ହାଲ୍ ଦ୍ବାରା ଏହାର ନିର୍ମାଣ ହୋଇଛି। ଏହା ମଧ୍ୟ ବାୟୁସେନାର ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ। ସୁଖୋଇ, ତେଜସ୍ ଏବଂ ରାଫେଲ୍ ଆଗକୁ ଭାରତୀୟ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବ। ବାଲାକୋଟ ବିମାନ ଆକ୍ରମଣ ସମୟରେ ଭାରତୀୟ ବାୟୁସେନାକୁ ଯେଭଳି ପାକିସ୍ତାନ ସୀମାରେ ପଶିବାକୁ ପଡ଼ିଥିଲା ଏବେ ରାଫେଲ ଆସିବା ପରେ ଆଉ ତାହାର ଆବଶ୍ୟକ ପଡ଼ିବ ନାହି। ପିଓକେରେ ଅପରେସନ ପାଇଁ ରାଫେଲ ନିର୍ଣ୍ଣାୟକ ଭୂମିକା ନେବ।