ବିକଶିତ ହେଲା ଅତି ଶକ୍ତିଶାଳୀ କୋଭିଡ୍‌ ଟିକା

ଵାସିଂଟନ: ମହାମାରୀ କୋଭିଡ୍‌-୧୯ ପାଇଁ ବୈଜ୍ଞାନିକମାନେ ଏଭଳି ଏକ ପ୍ରକାର ଟିକା ବିକଶିତ କରିପାରିଛନ୍ତି ଯାହା ଜୀବଜନ୍ତୁଙ୍କ ଶରୀରରେ ଅତି ଉଚ୍ଚମାନର ଆଣ୍ଟିବଡି ସୃଷ୍ଟି କରିପାରିଛି ବୋଲି କୁହାଯାଇଛି। ସାର୍ସ-କୋଭ୍‌-୨କୁ କାବୁ କରିବା ଲାଗି ମନୁଷ୍ୟ ଶରୀରରେ ଏହି ଟିକାର ଉପଯୋଗ କରାଯାଇପାରିବ ବୋଲି ସେମାନେ ଦାବି କରିଛନ୍ତି। ଵାସିଂଟନ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ସ୍କୁଲ ଅଫ୍‌ ମେଡିସିନ୍‌ର ଗବେଷକମାନଙ୍କ କହିବା ଅନୁଯାୟୀ, ମୂଷାଙ୍କ ଦେହରେ ଏହି ଅତି କ୍ଷୁଦ୍ର କଣିକାଯୁକ୍ତ ଟିକା ଏତେ ଉଚ୍ଚ ମାନର ଭୂତାଣୁବିରୋଧୀ ଆଣ୍ଟିବଡି ସୃଷ୍ଟି କରିପାରିଛି ଯାହା କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଜଣେ ପୀଡ଼ିତଙ୍କ ଶରୀରରେ ବିକଶିତ ହୋଇଥିବା ଆଣ୍ଟିବଡି ଠାରୁ ଯଥେଷ୍ଟ ଅଧିକ। ଏପରିକି ଉକ୍ତ ଟିକାର ଏକ ଷଷ୍ଠାଂଶ ମାତ୍ରା ମୂଷାଙ୍କ ଠାରେ ୧୦ ଗୁଣ ଅଧିକ ଆଣ୍ଟିବଡି ବିକଶିତ କରିପାରିବା ସହ ପର୍ଯ୍ୟାପ୍ତ ପରିମାଣର ରୋଗପ୍ରତିରୋଧ ବଢ଼ାଉଥିବା ବି-କୋଷିକା ମଧ୍ୟ ସୃଷ୍ଟି କରିପାରୁଛି। ଟିକାର ସ୍ଥାୟୀ ଫଳପ୍ରଦତା ପାଇଁ ଏହା ଉପଯୁକ୍ତ ବୋଲି ସେ ସଂକ୍ରାନ୍ତ ବିଶଦ ବିବରଣୀ ସେଲ୍‌ ପତ୍ରିକାରେ ପ୍ରକାଶ ପାଇଛି। ତେବେ ଉକ୍ତ ଟିକାର ଆଣବିକ ଗଠନ ଅବିକଳ କରୋନାଭୂତାଣୁ ପରି ହୋଇଥିବାରୁ ଏହା ରୋଗପ୍ରତିରୋଧ ବଢ଼ାଇବାରେ ମାତ୍ରାଧିକ ସକ୍ଷମ ହୋଇପାରୁଥାଏ ବୋଲି ଗବେଷକ ନିଲ୍‌ କିଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର