ମୁମ୍ବାଇ ପୁଲିସ ବିବାଦ ବଢ଼ିଲା, ଇସ୍ତଫା ଦେବେନି ଦେଶମୁଖ

ସୁପ୍ରିମକୋର୍ଟ ଗଲେ ପରମ ବୀର

ମୁମ୍ବାଇ: ପୁଲିସକୁ ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଚର୍ଚ୍ଚାରେ ଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖଙ୍କୁ ଆଜି ଦଳର ସୁପ୍ରିମୋ ଶରଦ ପାଵାର ଢାଲ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଅନୀଲଙ୍କ ବିରୋଧରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ପାଵାର କହିଛନ୍ତି। କାରଣ ଏହି ବଟି ଆଦାୟ ନିର୍ଦ୍ଦେଶ ପାଇଥିବା ପୁଲିସ ଅଧିକାରୀ ସଚିନ ଭାଜେ ଗୃହମନ୍ତ୍ରୀଙ୍କୁ ଯେଉଁ ସମୟରେ ଭେଟିଥିଲେ ବୋଲି ପୂର୍ବତନ ପୁଲିସ କମିସନର ପରମ ବୀର ସିଂହ ଦାବି କରିଛନ୍ତି, ସେ ସମୟରେ ଶ୍ରୀ ଦେଶମୁଖ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ବୋଲି ପାଵାର ସଫେଇ ଦେଇଛନ୍ତି।

ସୂଚନା ଥାଉ କି, ବିଭିନ୍ନ ମଦ୍ୟଶାଳା ଓ ହୋଟେଲରୁ ୪୦ରୁ ୫୦ କୋଟି ସମେତ ମୋଟ ଶହେ କୋଟି ଟଙ୍କା ଆଦାୟ କରିବା ଲାଗି ଗୃହମନ୍ତ୍ରୀ ଶ୍ରୀ ଦେଶମୁଖ ପୂର୍ବତନ ପୁଲିସ ଅଧିକାରୀ ସଚିନ୍‌ ଭାଜେଙ୍କୁ ନିର୍ଦ୍ଦେଶ କରିଥିଲେ ବୋଲି ପୂର୍ବତନ ପୁଲିସ କମିସନର ଶ୍ରୀ ସିଂହ ଏକ ଆଠ ଫର୍ଦ୍ଦର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଇଛନ୍ତି। ତେବେ ଶ୍ରୀ ପାଵାରଙ୍କ ଯୁକ୍ତି ଅନୁସାରେ, ଫେବ୍ରୁଆରି ମଧ୍ୟଭାଗରେ ଭେଟିଥିବା ଶ୍ରୀ ଭାଜେଙ୍କୁ ଶ୍ରୀ ଦେଶମୁଖ ଏପରି ନିର୍ଦ୍ଦେଶ ଦେଇଥିବା କଥା ଶ୍ରୀ ସିଂହ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ମାତ୍ର କୋଭିଡ୍‌ରେ ଆକ୍ରାନ୍ତ ହୋଇ ଶ୍ରୀ ଦେଶମୁଖ ଫେବ୍ରୁଆରି ୫ରୁ ୧୫ ଯାଏ ଡାକ୍ତରଖାନାରେ ଥିଲେ ଏବଂ ସେହିପରି ସେ ଫେବ୍ରୁଆରି ୧୫ରୁ ୨୭ ଯାଏ ନାଗପୁର ସ୍ଥିତ ନିଜ ଘରେ ଏକାନ୍ତବାସରେ ରହିଥିଲେ। ତେଣୁ ଏହି ସମୟ ଭିତରେ ଶ୍ରୀ ଭାଜେ ଅନୀଲଙ୍କୁ ଭେଟିନାହାନ୍ତି ବୋଲି ପାଵାର କହିଛନ୍ତି।

ସୁପ୍ରିମକୋର୍ଟ ଗଲେ ପରମ ବୀର
ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ପୁଲିସ କମିସନର ପରମ ବୀର ସିଂହ ଆଣିଥିବା ବଟି ଆଦାୟ ଅଭିଯୋଗର ସିିବିଆଇ ତଦନ୍ତ ପାଇଁ ନିଜେ ଶ୍ରୀ ସିଂହ ଆଜି ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି। ସେହିପରି ବିଭିନ୍ନ ଚାକିରିରେ ନିଯୁକ୍ତି ଓ ବଦଳିରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ରଶ୍ମି ଶୁକ୍ଳା ଦାଖଲ କରିଥିବା ରିପୋର୍ଟର ମଧ୍ୟ ଶ୍ରୀ ସିଂହ ସିବିଆଇ ତଦନ୍ତ ଲୋଡ଼ିଛନ୍ତି। ଏଥି ସହିତ ସେ ନିଜେ ଆଣିଥିବା ଅଭିଯୋଗର ପୁଷ୍ଟି ପାଇଁ ଶ୍ରୀ ଦେଶମୁଖଙ୍କ ମୁମ୍ବାଇ ସ୍ଥିତ ବାସଭବନର ସିସିଟିଭି ଫୁଟେଜ୍‌ ସଂଗ୍ରହ ପାଇଁ ମଧ୍ୟ ଶ୍ରୀ ସିଂହ ନିବେଦନ କରିଛନ୍ତି।
ଅନ୍ୟ ଏକ ଘଟଣାକ୍ରମରେ ସୋମବାର ଶ୍ରୀ ସିଂହ ମୁମ୍ବାଇରେ ଗୃହରକ୍ଷୀ ମହାନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବା ବେଳେ ମୁମ୍ବାଇ ପୁଲିସ କମିସନର ପଦବିରୁ ତାଙ୍କ ବଦଳି ନିର୍ଦ୍ଦେଶର ସ୍ଥଗିତାଦେଶ କାମନା କରିଛନ୍ତି। ସର୍ବୋପରି କୌଣସି ପ୍ରମାଣ ନଷ୍ଟ ହେବା ପୂର୍ବରୁ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ସେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର