ମୁମ୍ବାଇ : ମୁମ୍ବାଇର ଜଣେ ନର୍ସଙ୍କୁ ତାଙ୍କ ଲିଭ୍ ଇନ୍ ସାଥୀ ହତ୍ୟା କରି ବେଡ୍ ବକ୍ସରେ ଲୁଚାଇ ରଖିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମେଘା ଟୋର୍ବି ନାମ୍ନୀ ଜଣେ ନର୍ସ ହାର୍ଦ୍ଦିକ ଶାହ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲେ। ନାଲସୋପଡ଼ାର ସୀତା ସଦନରେ ସେମାନେ ଏକ ଫ୍ଲାଟ ଭଡ଼ା ନେଇଥିଲେ। ଘର ଭଡ଼ା ନେବାପାଇଁ ହୋଇଥିବା ଚୁକ୍ତିପତ୍ରରେ ସେମାନେ ନିଜକୁ ବିବାହିତ ଦମ୍ପତି ବୋଲି ଦର୍ଶାଇଥିଲେ। କିନ୍ତୁ ଘର ଭଡ଼ା ନେବାର ମାତ୍ର ୨୦ ଦିନ ପରେ ନର୍ସ ମେଘାଙ୍କୁ ତାଙ୍କ ଲିଭ୍ ଇନ୍ ପାର୍ଟନର ହତ୍ୟା କରିଦେଇଛି। ମେଘାଙ୍କୁ ୪୦ ବର୍ଷ ଏବଂ ହାର୍ଦ୍ଦିକକୁ ୩୦ ବର୍ଷ।
ମେଘାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ହାର୍ଦ୍ଦିକ ତାଙ୍କ ମର ଶରୀରକୁ ବେଡ୍ ବକ୍ସରେ ଲୁଚାଇ ରଖିଥିଲା ଏବଂ ଘର ତାଲା ପକାଇ ଫେରାର ହୋଇଯାଇଥିଲା। କିନ୍ତୁ ଉକ୍ତ ଘରୁ ପଚା ଗନ୍ଧ ଆସିବାପରେ ପଡ଼ୋଶୀମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା। ବେଡ୍ରୁମ୍ର ବେଡ୍ ବକ୍ସରୁ ପୁଲିସ ମେଘାଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ହାର୍ଦ୍ଦିକ ଏବଂ ମେଘାଙ୍କୁ ଘରଭଡ଼ା ନେବାରେ ସହଯୋଗ କରିଥିବା ଜଣେ ରିଅଲ ଇଷ୍ଟେଟ୍ ଏଜେଣ୍ଟଙ୍କ ସୂଚନା ଆଧାରରେ ପୁଲିସ ହାର୍ଦ୍ଦିକର ମୋବାଇଲ ଫୋନ୍ ଟ୍ରାକ୍ କରି ତାକୁ ମଧ୍ୟପ୍ରଦେଶର ନାଗଡ଼ା ଜଙ୍କସନ୍ ରେଳ ଷ୍ଟେସନ୍ରୁ ଗିରଫ କରିଛନ୍ତି। ହାର୍ଦ୍ଦିକ ମେଘାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି।