ଆନ୍ଧ୍ରରେ କୋଭିଡ୍‌ର ରହସ୍ୟମୟ ରୂପ: ଲକ୍ଷଣ ନାହିଁ, ହଠାତ୍‌ ଅସୁସ୍ଥତା ସହ ମୃତ୍ୟୁ

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶରେ କରୋନା ଭାଇରସ୍‌ର ରହସ୍ୟମୟ ରୂପ ଉଭୟ ଡାକ୍ତର ଏବଂ ପ୍ରଶାସନର ଚିନ୍ତା ବଢ଼ାଇଲାଣି। କରୋନା ଭାଇରସ୍‌ର କୌଣସି ଲକ୍ଷଣ ରହୁନି, କିନ୍ତୁ ହଠାତ୍‌ ଅସୁସ୍ଥ ହୋଇ ପ୍ରାଣ ହରାଉଛନ୍ତି। ଏଭଳି ମାମଲା ଆନ୍ଧ୍ରପ୍ରଦେଶରେ ବଢ଼ିଚାଲିଛି। ନିକଟରେ ଜଣେ ଡାକ୍ତର ଏହାର ଶିକାର ହୋଇଛନ୍ତି। ବିଜୟୱାଡ଼ାରେ ସରକାରୀ ଜେନେରାଲ୍‌ ହସ୍ପିଟାଲ୍‌ ଏଆରଟି ସେଣ୍ଟର୍‌ରେ କାମ କରୁଥିବା ଜଣେ ଡାକ୍ତରଙ୍କର ହଠାତ୍‌ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଲା। ଛାତି ଏକ୍ସ‌ରେ କରିବା ସହ ସେ ସଙ୍ଗେସଙ୍ଗେ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କର ସେହି ସମାନ ଦିନ ହିଁ ମୃତ୍ୟୁ ହୋଇଯାଇଛି। ଆନ୍ଧ୍ରପ୍ରଦେଶରେ ସଂକ୍ରମଣର କୌଣସି ଲକ୍ଷଣ ନଥିବା ବ୍ୟକ୍ତିଙ୍କର ହଠାତ୍‌ ମୃତ୍ୟୁ ହୋଇଯାଉଛି। ଆନ୍ଧ୍ରପ୍ରଦେଶର ପୂର୍ବ‌ ଗୋଦାବରୀ ଜିଲ୍ଲାରେ ଜଣେ ସୁପର‌ସ୍ପ୍ରେଡର ଯିଏ କି ପ୍ରାୟ ୨୦୦ ଜଣଙ୍କୁ ସଂକ୍ରମିତ କରିଛନ୍ତି ସେ ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଅଧ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏ‌ହିଭଳି ମାମଲା ଦେଖିବାକୁ ମିଳିଛି। ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଦେବାର କିଛି ଘଣ୍ଟା କିମ୍ବା ଦିନକ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଯାଉଛି। ବିଶେଷଜ୍ଞମାନେ କହୁଛନ୍ତି, ଯଦିଓ ସଂକ୍ରମଣର କୌଣସି ଲକ୍ଷଣ ନଥିବା ଜଣାପଡ଼ୁଛି କିନ୍ତୁ ସଂପୃକ୍ତ ବ୍ୟକ୍ତିମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ଅତି ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ‌

ସମ୍ବନ୍ଧିତ ଖବର