ସାମ୍ନାକୁ ଆସିଲା ଫୁସ୍‌ଫୁସ୍‌ ସଂକ୍ରମଣ ରହସ୍ୟ

ନୂଆଦିଲ୍ଲୀ : ଅଭିନବ କରୋନା ଭୂତାଣୁ ଦ୍ବାରା ମନୁଷ୍ୟର ଫୁସ୍‌ଫୁସ୍‌ କୋଷ ସଂକ୍ରମଣ ଜନିତ ପ୍ରତିକ୍ରିୟା ଶୃଙ୍ଖଳାକୁ ଗବେଷକମାନେ ଠିକ୍‌ରେ ଠଉରେଇ ପାରିଛନ୍ତି। ଫଳରେ କରୋନା ଭୂତାଣୁ ବିରୋଧରେ ଚିକିତ୍ସା ପାଇଁ ନୈଦାନିକ ସ୍ତରରେ ପରୀକ୍ଷିତ ଉପଶମ ପଦ୍ଧତି ବାହାରି ପାରିବ ବୋଲି ଆଶା କରାଯାଉଛି। ଆମେରିକାର ବୋଷ୍ଟନ ୟୁନିଭରସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌(ବିୟୁଏସ୍‌ଏମ୍‌)ର ବିଶେଷଜ୍ଞମାନେ ଫୁସ୍‌ଫୁସ୍‌ ସଂକ୍ରମିତ ହେବା ପରେ କୋଷିକାଗୁଡ଼ିକର ପାର୍ଶ୍ବରେ ସଂଘଟିତ ପରିବର୍ତ୍ତନକୁ ତର୍ଜମା କରି ଆବଶ୍ୟକ ପ୍ରୋଟିନ୍‌କୁ ଚିହ୍ନଟ କରିପାରିଛନ୍ତି। ଏ ପ୍ରକାର ଗୁରୁତ୍ବପୂର୍ଣ୍ଣ ପ୍ରୋଟିନ୍‌ ପରିବର୍ତ୍ତନକୁ ଫସ୍‌ଫୋରିଲେସନ୍‌ କୁହାଯାଏ। କୌଣସି ଜୀବର ଜୀବକୋଷରେ ପ୍ରୋଟିନ୍‌ର କାର୍ଯ୍ୟଶୈଳୀ ନିରୂପଣ କରିବାରେ ଏହି ଫସ୍‌ଫୋରିଲେସନ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏକ ସୁସ୍ଥ କୋଷିକାରେ ଉଭୟ ପ୍ରୋଟିନ୍‌ ବହୁଳତା ଓ ପ୍ରୋଟିନ୍‌ ଫସ୍‌ଫୋରିଲେସନ୍‌ ହେଉଛନ୍ତି ନିୟନ୍ତ୍ରିତ ପ୍ରକ୍ରିୟା। ତେବେ ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ସାର୍ସ-କୋଭ୍‌-୨ର ସଂକ୍ରମଣ ସଂପୃକ୍ତ ପ୍ରୋଟିନ୍‌ରେ ବ୍ୟାପକ ବ୍ୟତିକ୍ରମ ଘଟାଇଥାଏ। ଏହି ଅସ୍ବାଭାବିକ ପରିବର୍ତ୍ତନ ହିଁ ଭୂତାଣୁକୁ ବହୁଗୁଣିତ ହେବାରେ ସହାୟକ ହୋଇଥାଏ। ପରିଣତି ସ୍ବରୂପ, ତାହା ଜୀବକୋଷଗୁଡ଼ିକର ବୃଦ୍ଧି ପାଇଁ ଉଦ୍ଦିଷ୍ଟ ମୂଳ ଉତ୍ସରେ ବ୍ୟାପକ କ୍ଷତି ପହଞ୍ଚାଇବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ନଷ୍ଟ କରିଦେଇଥାଏ। କରୋନାଭୂତାଣୁ ବହୁଗୁଣିତ ହେଲା ବେଳେ ଏହି ଉତ୍ସଗୁଡ଼ିକୁ ବ୍ୟବହାର କରି ନିଜକୁ ଗୋପନ ରଖି ଶରୀରର ରୋଗପ୍ରତିରୋଧ ପ୍ରଣାଳୀକୁ ଭୁଆଁ ବୁଲାଇ ଦେଇଥାଏ ବୋଲି ମୁଖ୍ୟ ଗବେଷକ ଆଣ୍ଡ୍ରୁ ଏମିଲି କହିଛନ୍ତି।

ସମ୍ବନ୍ଧିତ ଖବର