ନୂଆ ବିଧେୟକରେ ଦେଶଦ୍ରୋହର ନାମ ବଦଳିଲା: ପରିସର ବଢ଼ିଲା, ଦଣ୍ଡ ଅଧିକ କଡ଼ା ହେଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସଂସଦରେ ଏକ ନୂଆ ବିଧେୟକ ଆଗତ କରିଛନ୍ତି, ଯେଉଁଥିରେ ଇଂରେଜ ଅମଳର ତିନୋଟି ଆଇନକୁ ସମାପ୍ତ କରି ଦିଆଯାଇଛି। ଶାହ କହିଛନ୍ତି ଯେ ଆଇପିସିରେ ଥିବା ଦେଶଦ୍ରୋହର ଧାରା ଏଥିରେ ଆଉ ରହିବ ନାହିଁ। ଏହି ବିଧେୟକରେ ଧାରା ୧୫୦ରେ କେତେକ ବ୍ୟବସ୍ଥା ଯୋଡ଼ାଯାଇଛି। ଏଥିରେ ଦେଶଦ୍ରୋହ ପୂର୍ବପରି ଏକ ଅପରାଧ ଭାବେ ଗଣା ହେବ କିନ୍ତୁ ନାଁ ବଦଳିବ ଏବଂ ଏଥିପାଇଁ ଦଣ୍ଡ ବ୍ୟବସ୍ଥା ଅଧିକ କଠୋର ହେବ।

ବିଲ୍ ଉପସ୍ଥାପନ କରିବା ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ପ୍ରସ୍ତାବିତ ‘ଭାରତୀୟ ନ୍ୟାୟ ସଂହିତା ବିଲ୍‌ ୨୦୨୩’ରେ ଦେଶଦ୍ରୋହ (ସେଡିସନ)କୁ ହଟେଇ ଦିଆଯାଇଛି ଏବଂ ଏହାର ସଂଜ୍ଞାକୁ ଅଧିକ ବିସ୍ତାରିତ କରାଯାଇଛି। ଆଇପିସିର ପୁରୁଣା ଧାରା ୧୨୪ଏରେ ଥିବା ‘ଆଇନତଃ ପ୍ରତିଷ୍ଠିତ ସରକାର ପ୍ରତି ଅସନ୍ତୋଷ’ ପଂକ୍ତିକୁ ବଦଳାଇ ତା’ ସ୍ଥାନରେ ‘ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପ’ ବୋଲି ଯୋଡ଼ାଯାଇଛି। ଧାରା ୧୫୦ରେ ସନ୍ନିବେଶିତ ଏହି ବ୍ୟବସ୍ଥାରେ ବିଚ୍ଛିନ୍ନତାବାଦ, ସଶସ୍ତ୍ର ବିଦ୍ରୋହ ପାଇଁ ଆହ୍ବାନ ପରି ଶବ୍ଦ ଯୋଡ଼ାଯାଇଛି କିନ୍ତୁ ଧାରା ୧୨୪ଏରେ ଥିବା ସରକାର ପ୍ରତି ଘୃଣା, ଅସନ୍ତୋଷ ପରି ଶବ୍ଦକୁ ବାଦ୍ ଦିଆଯାଇଛି। ଦେଶର ଆଇନଶୃଙ୍ଖଳା ନଷ୍ଟ କରିବା ଓ ହିଂସାକୁ ଉତ୍ସାହିତ କରିବା ପରି ଘଟଣାକୁ ଧାରା ୧୫୦ରେ ଅପରାଧୀକରଣ କରାଯାଇଛି। ଯେ କେହି ଏପରି ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବ ତା’ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି।
ଧାରା ୧୫୦ରେ ରଖାଯାଇଥିବା ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ଯେ କେହି ଭାଷଣ ଦ୍ବାରା, ଲେଖା ମାଧ୍ୟମରେ, ସ୍ବାକ୍ଷର ଦ୍ବାରା, ଦୃଶ୍ୟ ଉପସ୍ଥାପନ (ନାଟକ, ଅଭିନୟ) ମାଧ୍ୟମରେ, ବୈଦ୍ୟୁତିକ ଯୋଗାଯୋଗ ମାଧ୍ୟମରେ, ଆର୍ଥିକ ସାହାଯ୍ୟ ପ୍ରଦାନ କରି ବା ଅନ୍ୟ ଉପାୟରେ ବିଚ୍ଛିନ୍ନତାବାଦୀ ବା ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବ ତାକୁ ଜରିମାନା ସହ ଆଜୀବନ ବା ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡରେ ଦଣ୍ଡିତ କରାଯାଇପାରିବ। ପୂର୍ବରୁ ନିୟମ ଥିଲା ନିର୍ବାଚିତ ସରକାର ବିରୋଧରେ ଘୃଣା ସୃଷ୍ଟିକାରୀ କାର୍ଯ୍ୟକଳାପରେ ଜଡ଼ିତ ଥିଲେ, ଜରିମାନା ସହ ଆଜୀବନ ବା ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ ବା କେବଳ ଜରିମାନା ଆଦାୟ କରି ଦୋଷୀକୁ ଛାଡ଼ି ଦିଆଯାଇପାରିବ। ବର୍ତ୍ତମାନ ଧାରା ୧୫୦ରେ ‘ବୈଦ୍ୟୁତିକ ଯୋଗାଯୋଗ’ ଓ ଦେଶବିରୋଧୀ କାର୍ଯ୍ୟକଳାପ ନିମନ୍ତେ ‘ଆର୍ଥିକ ସାହାଯ୍ୟ ପ୍ରଦାନ’ ଭଳି ଶବ୍ଦପୁଞ୍ଜକୁ ଯୋଡ଼ାଯାଇଛି।

ତେବେ ଆଇନ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଆତଙ୍କବାଦ-ବିରୋଧୀ ଆଇନ ଭଳି ଅଲଗା ଆଇନ ଥିବା ବେଳେ ଏ ନୂଆ ଆଇନର ଆବଶ୍ୟକତା କ’ଣ ଅଛି। ବରିଷ୍ଠ ଆଇନଜୀବୀ କଲିନ ଗନସାଲ୍‌ଭସଙ୍କ କହିବା ଅନୁସାରେ ସରକାର ଦେଶଦ୍ରୋହ (ସେଡିସନ) ଆଇନକୁ ହଟେଇ ଦେବାକୁ ଯାଉଛନ୍ତି ବୋଲି ମିଛ କହୁଛନ୍ତି। ଦେଶଦ୍ରୋହ ଶବ୍ଦ ନ ଥିଲେ ବି ପ୍ରସ୍ତାବିତ ନୂଆ ଆଇନରେ ସେଇ ଦେଶଦ୍ରୋହ ବିରୋଧରେ ହିଁ ଦଣ୍ଡ ବ୍ୟବସ୍ଥା କରାଯାଇଛି, ପୁଣି ଅଧିକ କଠୋର। ସରକାର ଲୋକଙ୍କୁ ବୋକା ବନେଇବାକୁ ଚାହୁଛନ୍ତି। କେତେକ ଶବ୍ଦରେ ମାତ୍ର ଅଦଳବଦଳ କରି ସେଇ ପୁରୁଣା ଦେଶଦ୍ରୋହ ଆଇନକୁ ବଳବତ୍ତର ରଖିବାକୁ ସରକାର ଚାହୁଛନ୍ତି। ପୂର୍ବରୁ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ କେବଳ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିବା ବେଳେ ଏବେ ସେମାନଙ୍କୁ ୭ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ସହ ଜରିମାନା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର