ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଉପରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଟିଏସ୍ କୃଷ୍ଣମୂର୍ତ୍ତି ବିକଳ୍ପ ଭାବେ ‘ଜାତୀୟ ନିର୍ବାଚନ ପାଣ୍ଠି’ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। କୃଷ୍ଣମୂର୍ତ୍ତି କହିଛନ୍ତି, ମୁଁ ଏହି ରାୟ ସହ ସମ୍ପୂର୍ଣ୍ଣ ସହମତ, କାରଣ ମୁଁ ପୂର୍ବରୁ ମଧ୍ୟ ସାର୍ବଜନୀନ ଭାବେ କହିସାରିଛି ଯେ ଏହା ନିର୍ବାଚନ ପାଇଁ ପାଣ୍ଠି ଯୋଗାଣର ଉପଯୁକ୍ତ ପଦ୍ଧତି ନୁହେଁ।
ଇଲେକ୍ଟୋରାଲ ବଣ୍ଡ୍ (ଇବି) ଯୋଜନାକୁ ଖାରଜ କରିବା ସହ ଏହାକୁ ଏକ ସପ୍ତାହ ମଧ୍ୟରେ ସାର୍ବଜନୀନ କରିବା ପାଇଁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ସମସ୍ତ ବିବରଣୀ ଦାଖଲ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଏହି ଯୋଜନା ସୂଚନା ଅଧିକାର ଏବଂ ସମ୍ବିଧାନର ଧାରା ୧୯(୧)(ଏ)କୁ ଉଲ୍ଲଂଘନ କରୁଛି ବୋଲି ସୁପ୍ରିମ୍କୋର୍ଟ ତାଙ୍କ ରାୟରେ କହିଛନ୍ତି।
କୃଷ୍ଣମୂର୍ତ୍ତି ଆହୁରି କହିଛନ୍ତି ଯେ, ଉଭୟ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏବଂ ନିର୍ବାଚନ ପାଇଁ ପାଣ୍ଠି ଯୋଗାଣର ପୂର୍ବ ପଦ୍ଧତି କର୍ପୋରେଟ୍ ଓ ରାଜନୈତିକ ଦଳ ମଧ୍ୟରେ ଏକ ଘୃଣ୍ୟ ସମ୍ପର୍କକୁ ପ୍ରୋତ୍ସାହିତ କରିଥିଲା। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଏକ ଜାତୀୟ ନିର୍ବାଚନ ପାଣ୍ଠି ଗଠନ, ଯେଉଁଥିରେ ଉଭୟ କର୍ପୋରେଟ୍ ଓ ବ୍ୟକ୍ତିଗତ ଦାତାମାନଙ୍କୁ ୧୦୦% ଟିକସ ଛାଡ଼ ମିଳିବ। ଏହା ନିର୍ବାଚନର ସାର୍ବଜନୀନ ପାଣ୍ଠିକୁ ସୁଗମ କରିବ ଯେଉଁଥିରେ ନିର୍ବାଚନ ସମୟରେ ସମସ୍ତ ଦଳକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଆବଣ୍ଟନ କରାଯିବ।