ନାଁ ନନେଇ ଚୀନ ଉପରେ ବର୍ଷିଲେ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ନାଁ ନନେଇ ଚୀନ୍ ଉପରେ ବର୍ଷିଛନ୍ତି ଭାରତର ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ। ଦକ୍ଷିଣ ଚୀନ ସାଗରରେ ଚୀନ ଏହାର ଦାଦାଗିରି ଚଳାଇଛି। ଅଧିକରୁ ଅଧିକ ଅଞ୍ଚଳରେ ନିଜର ସାମରିକ କାର୍ଯ୍ୟକ୍ରମ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ନୌସେନା ମୁଖ୍ୟ ଆଡମିରାଲ ସିଂହ କହିଛନ୍ତି ଏଠାରେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବ୍ରୁନେଇ ଏବଂ ତାଇୱାନ ଆଦି ଅନେକ ଦେଶ ସହିତ ଦୀର୍ଘଦିନ ହେଲା ବିବାଦ ରହିଛି। ଭାରତ- ପ୍ରଶାନ୍ତ ମହାସାଗର ଆଞ୍ଚଳିକ କଥାବାର୍ତ୍ତା ୨୦୨୧ରେ ଉଦ୍‌ବୋଧନ ଦେଇ ଆଡମିରାଲ ସିଂହ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ଗ୍ରହଣ ହୋଇ ସାରିଥିବା ରାଜିନାମାର ପୁନଃବ୍ୟାଖ୍ୟା କରାଯିବା ଦ୍ବାରା ଯେଉଁସବୁ ଅଞ୍ଚଳ ବିଶ୍ବର ସାଧାରଣ ଅଞ୍ଚଳ ଭାବେ ବିବେଚିତ ହେଉଥିଲା ତାହା ଏବେ ବିବାଦୀୟ ହୋଇପଡ଼ିଛି। ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକ୍ରମ ଉପରେ ଭାରତର ତୀକ୍ଷ୍‌ଣ ନଜର ରହିଛି। ଭାରତ ମହାସାଗର ଆଡ଼କୁ ଚୀନ ନୌସେନା ଯେଭଳି ପ୍ରବେଶ ନକରେ ତାହା ଉପରେ ଭାରତ ୨୪ ଘଣ୍ଟା ନଜର ରଖିଛି।

ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୌଳିକ ସାମୁଦ୍ରିକ ନୀତିକୁ ‌ଚାଲେଞ୍ଜ କରାଯାଉଥିବାରୁ ସେଠାରେ ବିବିଧ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଫଳରେ ଏହି ଅଞ୍ଚଳ ବିଶ୍ବ ରାଜନୀତି ଓ ଅର୍ଥନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ନୌସେନା ମୁଖ୍ୟ କହିଛନ୍ତି। ଏହି ଅଞ୍ଚଳରେ ବିଶ୍ବର ୬୧ ପ୍ରତିଶତ ଲୋକ ବାସ କରୁଛନ୍ତି। ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬୨ ପ୍ରତିଶତ ଏଠାରୁ ଆସୁଛି। ବିଶ୍ବର ଦ୍ବୀପ ଦେଶଗୁଡ଼ିକର ୬୩ ପ୍ରତିଶତ ଏହି ଅଞ୍ଚଳରେ ରହିଛି। ଭାରତ-ପ୍ରଶାନ୍ତ ମହାସାଗର ଦେଇ ବିଶ୍ବର ପାଖାପାଖି ୫୦ ପ୍ରତିଶତ ବାଣିଜ୍ୟ ହେଉଛି। ତେବେ ଚୀନ ଏହି ସମୁଦ୍ରରେ ୯୦ ପ୍ରତିଶତ ନିଜର ବୋଲି ଦାବି କରୁଛି।

ସମ୍ବନ୍ଧିତ ଖବର