ନୌସେନାର ଆଗୁଆ ପଦକ୍ଷେପ ଚୀନ୍‌ ପଟୁ ବିପଦ ହଟାଇଲା

ନୂଆଦିଲ୍ଲୀ: ଚୀନୀ ସେନାର ମୁକାବିଲା ପାଇଁ ଲଦାଖ ସୀମା ଅକ୍ଷୟ ଚୀନ୍‌ ଇଲାକାରେ ଭାରତୀୟ ସ୍ଥଳସେନା ଓ ବାୟୁସେନାର ବ୍ୟାପକ ମୁତୟନ ପରିସ୍ଥିତିକୁ ଅଧିକ ଗମ୍ଭୀର କରିବାରୁ ବଞ୍ଚିତ କରି ରଖିଛି। ଅପରପକ୍ଷେ, ଭାରତ ମହାସାଗରରେ ଚୀନ୍‌ ନୌସେନାର କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ଲାଗି ଭାରତୀୟ ନୌବାହିନୀ ମଧ୍ୟ ଆଗୁଆ ସଜାଗ ହୋଇପଡ଼ିଛି। ଫଳରେ ଆରବସାଗର କି ବଙ୍ଗୋପସାଗର ପଟୁ ଆଉ ଭାରତ ପ୍ରତି କୌଣସି ବିପଦ ନାହିଁ ବୋଲି ଭାରତୀୟ ନୌସେନା ସ୍ପଷ୍ଟ କରିଛି।

ସୂଚନାନୁଯାୟୀ, ଚୀନୀ ସେନା ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ପରେ ଆଗକୁ ଅଧିକ ଉତ୍ତେଜନା ଆଶଙ୍କା କରାଯାଉଥିଲା। ଏପରିକି ଶାନ୍ତିପ୍ରିୟ ଭାରତକୁ ଭୟଭୀତ କରିବା ପାଇଁ ଆକ୍ରମଣଖୋର ଚୀନ୍‌ ମଧ୍ୟ ଅତର୍କିତ ସମୁଦ୍ର ପଥରେ କିଛି ଅଘଟଣ ରଚାଇବା ସମ୍ଭାବନାକୁ ଟାଳି ଦିଆଯାଇନଥିଲା। ସ୍ଥଳଭାଗ ସୀମାରେ କୌଣସି ପ୍ରକାର ଅଧିକ ଅପ୍ରୀତିକର ଉଦ୍ୟମକୁ ପଣ୍ଡ କରିବା ଲାଗି ଭାରତୀୟ ସ୍ଥଳସେନା ଓ ବାୟୁସେନା ଲଦାଖରେ ନିଜର ବ୍ୟାପକ ଶକ୍ତି ଠୁଳ କରିବା ଆରମ୍ଭ କରିଦେଇଥିଲେ। ଏହି ଅବସରରେ ଭାରତୀୟ ନୌବାହିନୀ ମଧ୍ୟ ଏହାର ପୂର୍ବତଟ ଓ ପଶ୍ଚିମତଟର ଯୁଦ୍ଧଜାହାଜଗୁଡ଼ିକୁ ସଜାଗ କରିଦେଇଥିଲା। ମଲାକା ପ୍ରଣାଳୀରୁ ହର୍ଣ୍ଣ ଅଫ୍‌ ଆଫ୍ରିକା ଯାଏ ଚୀନ୍‌ର କୌଣସି ପ୍ରକାର ଆଶୁ ସାମୁଦ୍ରିକ ଆକ୍ରମଣର ମୁକାବିଲା ଲାଗି ଭାରତୀୟ ନୌବାହିନୀ ଆଗୁଆ ସାମରିକ କୌଶଳ ଖଟାଇଥିଲା।

ସ୍ମରଣଯୋଗ୍ୟ, ଆରବ ସାଗରରେ ଜଳଦସ୍ୟୁମାନଙ୍କ ଗତିବିଧି ଉପରେ ନଜର ରଖିବା ବାହାନାରେ ଚୀନ୍‌ର ଯୁଦ୍ଧଜାହାଜଗୁଡ଼ିକ ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ ଗ୍ବାଦର ବନ୍ଦରରୁ ପୂର୍ବ ଆଫ୍ରିକାର ଜିବାଉତି ନୌଘାଟି ଯାଏ ଚଳପ୍ରଚଳ କରୁଛି। ସେହିପରି ଏପଟେ ମଲାକା ପ୍ରଣାଳୀ ବାଟେ ଚୀନୀ ଜାହାଜଗୁଡ଼ିକ ବଙ୍ଗୋପସାଗରକୁ ମଧ୍ୟ ବେଳେ ବେଳେ ପଶି ଆସୁଛନ୍ତି। ତେବେ ୧୫ ଜୁନ୍‌ ପରେ ଭାରତୀୟ ନୌବାହିନୀ ସମୁଦ୍ରରେ ପଇଁତରା ମାରୁଥିବା ଚୀନୀ ଯୁଦ୍ଧଜାହାଜଗୁଡ଼ିକୁ ନିରାପଦ ଦୂରତାରେ ରହିବା ପାଇଁ ବାଧ୍ୟ କରିଥିଲା। ଏପଟେ ତିନିଟି ଚୀନୀ ଯୁଦ୍ଧ ଜାହାଜକୁ ଭାରତ ସନ୍ନିକଟ ଆରବସାଗରରୁ ଏଡେନ ଉପସାଗରର ଜିବାଉତି ଉପକୂଳକୁ ହଟାଇନେବାକୁ ବାଧ୍ୟ କରିଥିଲା। ସେହିପରି ଭାରତ ମହାସାଗରରେ ପଇଁତରା ମାରୁଥିବା ତିନିଟି ଚୀନ୍‌ ଜାହାଜକୁ ମଧ୍ୟ ମଲାକା ପ୍ରଣାଳୀ ଦେଇ ସ୍ବଦେଶ ଉପକୂଳକୁ ଫେରିଯିବା ଲାଗି ଆବଶ୍ୟକ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର

Comments are closed.