ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ଏନ୍‌ସିପିସିଆର୍‌

ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ ଅଚଳ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ ଅଚଳ କରିବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ (ଏନ୍‌ସିପିସିଆର୍‌) ଦାବି କରିଛି। ଏନ୍‌ସିପିସିଆର୍‌ ଆନୁଷ୍ଠାନିକ ଭାବେ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି। ରାହୁଲଙ୍କ ଏଭଳି ପୋଷ୍ଟ୍‌କୁ ନେଇ ଟ୍ବିଟର୍‌ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଏବେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ତେବେ ରାହୁଲ କହିଛନ୍ତି ଯେ ମୋଦୀ ସରକାର ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏହା ଗଣତନ୍ତ୍ର ଉପରେ ଏକ ଖୋଲା ଆକ୍ରମଣ। ଟ୍ବିଟର୍‌ ଆମର ରାଜନୈତିକ କାର୍ଯ୍ୟକୁ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାହୁଲଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ସମେତ ଅନେକ କଂଗ୍ରେସ ନେତା ଓ ଦଳୀୟ ଆକାଉଣ୍ଟ୍‌କୁ ମଧ୍ୟ ଟ୍ବିଟର୍‌ କର୍ତ୍ତୃପକ୍ଷ ଅଚଳ କରିଛନ୍ତି। ଏହି ମାମଲାରେ ଟ୍ବିଟର୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଆଇନ ଉଲ୍ଲଂଘନ କରି ଲଗାତାର ବିବାଦୀୟ ପୋଷ୍ଟ୍‌ କରାଯିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ରାହୁଲଙ୍କ ଫଟୋ ପୋଷ୍ଟିଂ ନେଇ ଆମର କୌଣସି ଆପତ୍ତି ନାହିଁ ବୋଲି ପୀଡ଼ିତାଙ୍କ ମା’ ଆଜି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର