ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଯଦି ଏନଡିଏ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଜିତେ ତେବେ କର୍ତ୍ତବ୍ୟପଥରେ ଏନଡିଏର ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ। ଜୁନ୍‌ ୯ ତାରିଖରେ କର୍ତ୍ତବ୍ୟପଥରେ ଏନଡିଏର ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ‘ହିନ୍ଦୁସ୍ତାନ ଟାଇମ୍ସ’ର ଏକ ‌ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାୟ ଗୋଟିଏ ମାସ ଧରି ଏନଡିଏର ଶପଥ ଗ୍ରହଣ ଉତ୍ସବ ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ୨୦୧୪ରେ ମେ’ ୧୬ ତାରିଖରେ ନିର୍ବାଚନ ଫଳ ଘୋଷଣା ହୋଇଥିଲା ଏବଂ ମେ’ ୨୬ ତାରିଖରେ ଏନଡିଏର ଶପଥ ଗ୍ରହଣ ଉତ୍ସବ ଥିଲା।

Advertisment

ସେହିପରି ୨୦୧୯ରେ ମେ’ ୨୩ ତାରିଖରେ ନିର୍ବାଚନ ଫଳ ବାହାରିଥିଲା ଏବଂ ମେ’ ୩୦ ତାରିଖରେ ଏନଡିଏର ଶପଥ ଗ୍ରହଣ ଉତ୍ସବ ଥିଲା। ଉଭୟ ୨୦୧୪ ଏବଂ ୨୦୧୯ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। କିନ୍ତୁ ଚଳିତ ଥର ଏନଡିଏର ଶପଥ ଗ୍ରହଣ ଉତ୍ସବ କର୍ତ୍ତବ୍ୟ ପଥରେ ହେବ। ଶପଥ ଗ୍ରହଣ ଉତ୍ସବକୁ ବହୁ ସଂଖ୍ୟାରେ ଅତିଥି ଆମନ୍ତ୍ରିତ ହେବେ। ତେବେ ଏସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ନିର୍ବାଚନ ଫଳ ଆସିବାପରେ ହିଁ ଜଣାପଡ଼ିବ। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ଜୁନ୍‌ ୧୩ ଏବଂ ୧୪ ତାରିଖରେ ଇଟାଲିରେ ଜି-୭ ବୈଠକ ଥିବାବେଳେ ଏହି ବୈଠକରେ ଯୋଗ ଦେବାପାଇଁ ମୋଦୀ ନିମନ୍ତ୍ରଣ ଗ୍ରହଣ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ, ୬ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଜୁନ୍‌ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଅଛି। ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ।