ନୂଆଦିଲ୍ଲୀ: ଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି (ଏନଏମଏମଏଲ)ର ନାଁ ପରିବର୍ତ୍ତନ କରି ପିଏମଏମଏଲ ( ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି) କରାଯାଇଛି। ୭୭ତମ ସ୍ବାଧୀନତା ଦିବସରେ ଏହି ନାମକୁ ସରକାରୀ ସ୍ବୀକୃତି ମିଳିଛି। ଏନଏମଏମଏଲର କାର୍ଯ୍ୟନିର୍ବାହୀ ପରିଷଦ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ପିଏମଏମଏଲର ଉପାଧ୍ୟକ୍ଷ ମଧ୍ୟ ଏନେଇ ଏକ ଟ୍ବିଟ୍‌ କରିଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି ଅଗଷ୍ଟ ୧୪ରୁ ସରକାରୀ ଭବେ ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ ଏବଂ ଲାଇବ୍ରେରି ହେଲା ବୋଲି ଏହି ପୋଷ୍ଟ୍‌ରେ ଲେଖାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ରେ ଏନଏମଏମଏଲ ସୋ‌ସାଇଟିର ଏକ ସ୍ବତନ୍ତ୍ର ବୈଠକରେ ଏନଏମଏମଏଲର ନାମ ପରିବର୍ତ୍ତନ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ସୋ‌ସାଇଟିର ଉପସଭାପତି ତଥା‌ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ତେବେ ନେହରୁ ମ୍ୟୁଜିୟମ ସରକାରୀ ଭାବେ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ହେବାପରେ କଂଗ୍ରେସ ଏହ‌ି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛି। କଂଗ୍ରେସ କହିଛି ନେହରୁବାଦୀ ଲିଗାସିକୁ ପ୍ରତ୍ୟାଖ୍ୟାନ କରିବା, ବିକୃତ କରିବା, ବଦନାମ କରିବା ଏବଂ ନଷ୍ଟ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକମାତ୍ର ଏଜେଣ୍ଡା। ତେବେ ଲଗାତାର ଆକ୍ରମଣ ସତ୍ତ୍ବେ ନେହରୁଙ୍କ ଅାଦର୍ଶ ସାରା ବିଶ୍ବରେ ବଞ୍ଚି ରହିବ ଏବଂ ସେ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଆଜିଠାରୁ ବିଶ୍ବ ପ୍ରସିଦ୍ଧ ନେହରୁ ମ୍ୟୁଜିୟମ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ହୋଇଛି ଏବଂ ମୋଦୀ ଏନଏମଏମଏଲ୍‌ରୁ ‘ଏନ୍‌’ ହଟାଇ ‘ପି’ ଯୋଡ଼ିଛନ୍ତି।