ନୂଆଦିଲ୍ଲୀ: ନେପାଳ କମ୍ୟୁନିଷ୍ଟ ପାର୍ଟି ଦୁଇ ଫାଳ ହେବା ସୂଚନା ମିଳିଛି। କମ୍ୟୁନିଷ୍ଟ ନେତା ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ଏବଂ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଚଣ୍ଡଙ୍କ ନେତୃତ୍ବରେ କମ୍ୟୁନିଷ୍ଟ ପାର୍ଟିର ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା ଏବଂ ଏହି ବୈଠକକୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଡକାଯାଇ ନଥିଲା। ୪୫ ସଦସ୍ୟବିଶିଷ୍ଟ ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପ୍ରଚଣ୍ଡ ସଭାପତିତ୍ବ କରିଥିବାବଳେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ବର୍ଜନ କରାଯାଇଥିଲା।

Advertisment

ଏହା ଫଳରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଏବେ ପ୍ରଚଣ୍ଡ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କ ନେତୃତ୍ବରେ ଦୁଇ ଭାଗରେ ବିଭକ୍ତ ହୋଇଥିବା କୁହାଯାଇଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରଚଣ୍ଡଙ୍କ ସମର୍ଥକ ଦାବି କରି ଆସୁଥିବା ବେଳେ ପାର୍ଟିର ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେବା ନେଇ ଓଲିଙ୍କ ଉପରେ ଚାପ ପଡ଼ି ଆସୁଛି। ଓଲି ଏବଂ ପ୍ରଚଣ୍ଡଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ବିବାଦର ଅବସାନ ଘଟାଇବା ଉଦ୍ଦେଶ୍ୟରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପାଧ୍ୟକ୍ଷ ବାମଦେବ ଗୌତମ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ବାମଦେବ ଗୌତମ କହିଛନ୍ତି, ଓଲି ଅଢ଼େଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପଦବୀରେ ରୁହନ୍ତୁ ଏବଂ ପ୍ରଚଣ୍ଡ ଦଳର ଅଧ୍ୟକ୍ଷ ରୁହନ୍ତୁ। ମାତ୍ର, ଏଥିରେ ଓଲି ରାଜି ନ ହେବାରୁ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ। ଏହା ଫଳରେ ଓଲି ଏବଂ ପ୍ରଚଣ୍ଡଙ୍କ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି।