ଵାସିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଳା ହାରିସ ନିର୍ବାଚନ ନିଶ୍ଚିତ ଭାବରେ ଆମେରିକାର ବିଶ୍ବ ନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ଅନେକ ଆଶା ରଖିଛନ୍ତି। ଡେମୋକ୍ରାଟିକ୍ ଦଳର ଏହି ବିଜୟରେ ଅନେକଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିବା ବେଳେ କିଛି ମଧ୍ୟ ଉପକୃତ ହେବେ ନିଶ୍ଚୟ। ତେବେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବେ ଭ୍ଲାଦିମିର ପୁଟିନ୍ଙ୍କ ରୁଷିଆ। କାରଣ ପୁଟିନ୍ ଓ ଟ୍ରମ୍ପ୍ଙ୍କ ଭିତରେ ଥିବା ଭିତିରି ସମ୍ପର୍କ କାହାକୁ ଅଛପା ନୁହେଁ। କିଛି ସୂଚନା ସହ ପୁଟିନ୍ ସାଲିସ କରି ଟ୍ରମ୍ପ୍ଙ୍କ ଠାରୁ ଉଠାଉଥିବା ଆର୍ଥିକ ଫାଇଦା ଆଉ ସମ୍ଭବ ନୁହେଁ। ମହାମାରୀ କୋଭିଡ୍-୧୯ ଓ ଖଣିଜ ତୈଳ ମୂଲ୍ୟ ହ୍ରାସ ଯୋଗୁଁ ଘୋର ଆର୍ଥିକ ଦୁର୍ଗତିରେ ଥିବା ରୁଷିଆର ଅର୍ଥନୀତି ଆହୁରି ଛାରଖାର ହୋଇଯିବାର ଆଶଙ୍କା ରହିଛି। ଟ୍ରମ୍ପ୍ଙ୍କ ପରାଜୟ ଦ୍ବାରା ଅନ୍ୟତମ କ୍ଷତିଗ୍ରସ୍ତ ବ୍ୟକ୍ତିତ୍ବ ହେଉଛନ୍ତି ସାଉଦି ଆରବ ସମ୍ରାଟ ମହମ୍ମଦ ବିନ୍ ସଲମାନ୍। ୟେମେନ୍ରେ ସାଉଦି ଆରବର ରକ୍ତାକ୍ତ ହସ୍ତକ୍ଷେପ ଯୋଗୁଁ ୨୦୧୯ରେ ଆମେରିକା ସଂସଦର ଡେମୋକ୍ରାଟ୍ ସଦସ୍ୟମାନେ ସାଉଦି ଆରବକୁ ଯୁଦ୍ଧାସ୍ତ୍ର ବିକ୍ରି ଉପରେ ପ୍ରତିରୋଧ କରିଥିଲେ। ତେବେ ସେତେବେଳେ ଭିଟୋ ବଳରେ ଟ୍ରମ୍ପ୍ ତାହା ଚାଲୁ ରଖିଥିବା ବେଳେ ଏଣିକି ଡେମୋକ୍ରାଟ୍ ରାଷ୍ଟ୍ରପତି ବାଇଡେନ୍ଙ୍କ ଅମଳରେ ଆଉ ସମ୍ଭବ ନୁହେଁ। ଏଥି ସହିତ ଵାସିଂଟନ୍ ପୋଷ୍ଟ୍ର ସାଉଦି ଆରବ ସ୍ତମ୍ଭକାର ଜମାଲ୍ ଖାସୋଗିଙ୍କ ହତ୍ୟା ପାଇଁ ମଧ୍ୟ ବାଇଡେନ୍ ପ୍ରଶାସନ ସାଉଦିକୁ ଦାୟୀ କରିପାରନ୍ତି। ବିଶେଷ କରି ତୈଳ ଉପରେ ବିଶ୍ବ ନିର୍ଭରତାର ଅନ୍ତ ଘଟାଇବା ପାଇଁ ବାଇଡେନ୍ଙ୍କ ଅଙ୍ଗୀକାରବଦ୍ଧତା ରୁଷିଆ ଓ ସାଉଦି ଆରବ ପାଇଁ ଖରାପ ଖବର ଆଣିବ।
ବାରାକ୍ ଓବାମାଙ୍କ ପରି ବାଇଡେନ୍ ମଧ୍ୟ ବ୍ରେକ୍ଜିଟ୍(ୟୁରୋପୀୟ ସଂଘରୁ ବ୍ରିଟେନ୍ର ସମର୍ଥନ ପ୍ରତ୍ୟାହାର)କୁ ବିରୋଧ କରନ୍ତି। ସୁତରାଂ ବ୍ରେକ୍ଜିଟ୍ ଯଦି ଆୟର୍ଲାଣ୍ଡର ଶାନ୍ତି ପ୍ରକଳ୍ପରୁ ନ୍ୟୂନ କରିଦିଏ, ତେବେ ଆମେରିକା ବ୍ରିଟେନ୍ ମଧ୍ୟରେ ବାଣିଜ୍ୟ କାରବାର ହ୍ରାସ ହେବ। ଅପରପକ୍ଷେ, ଜର୍ମାନୀ ଓ ଅନ୍ୟାନ୍ୟ ନାଟୋ ଦେଶ ସହ ଆମେରିକାର ସମ୍ପର୍କରେ ସୁଧାର ଆସିବ। ସେହିପରି ୨୦୧୫ରେ ଇରାନ୍ ସହ ସଂଗଠିତ ପରମାଣୁ ରାଜିନାମାର ମଧ୍ୟ ପୁନରୁଦ୍ଧାର ସାଙ୍ଗକୁ ଇରାନ ପ୍ରତି ରହିଥିବା ଆର୍ଥିକ କଟକଣା କୋହଳ ହେବ। ଏଥି ସହିତ ଇରାକ ପ୍ରତି ତିକ୍ତ ମନୋଭାବ ରହିଥିବା ବାଇଡେନ୍ ସେଠାରେ ଆମେରିକାର ଭୂମିକା କମାଇବାକୁ ଚାହିବେ ଯାହା ବିଦ୍ରୋହ ଜଡ଼ିତ ଇରାକର ବିଭିନ୍ନ ନେତାଙ୍କୁ ବିବ୍ରତ କରିବ। ଚୀନ୍ ସହ ସମ୍ପର୍କକୁ ବାଇଡେନ୍ ସତର୍କତାର ସହ ଆଗେଇନେବାକୁ ଚାହିବେ। ସେ ମହାମାରୀ କୋଭିଡ୍ ପାଇଁ ଚୀନ୍କୁ ଦୋଷ ଦେବେନି କି ଦେଶରେ ଚୀନ୍ ବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରିବେ ନାହିଁ। ତେବେ ଭାରତ ସହ ଆମେରିକାର ସମ୍ପର୍କ ବିଲ୍ କ୍ଲିଣ୍ଟନ୍ଙ୍କ ଅମଳରୁ ଦ୍ବିପାକ୍ଷିକ ହୋଇଆସିଛି। ତେବେ ବାଇଡେନ୍ଙ୍କ ଶୁଭଦୃଷ୍ଟିରେ ରହିବାକୁ ଥିବା ପାକିସ୍ତାନର ଭାରତ ପ୍ରତି ଆଭିମୁଖ୍ୟ କେମିତି ରହିବ ତାହା ସମୟ ହିଁ କହିବ। ସର୍ବୋପରି ବାଇଡେନ୍ଙ୍କ ଶାସନ କାଳରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ସହ ପାରମ୍ପରିକ ଖଣିଜ ତୈଳରୁ ପୁନର୍ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ପାଇଁ ବିଶ୍ବତମାମ ଦେଖାଦେଇଥିବା ପରିବର୍ତ୍ତିତ ପ୍ରକ୍ରିୟା ସାକାର ହେବ ବୋଲି ଆଶା କରାଯାଏ। ବିଶ୍ବରେ ସର୍ବାଧିକ ଖଣିଜ ତୈଳ ବ୍ୟବହାରକାରୀ ଆମେରିକା ପ୍ରଦୂଷଣ କମାଇବା ଲାଗି ପ୍ୟାରିସ ଜଳବାୟୁ ରାଜିନାମାରେ ସ୍ବାକ୍ଷର କରିପାରେ। ସେହିପରି ଆମେରିକାର ବିଶ୍ବ ସୂଚିରେ ମାନବାଧିକାର ପୁଣି ସ୍ଥାନ ପାଇବ।