ଟ୍ବିଟରକୁ ନୂଆ ଆଇଟି ମନ୍ତ୍ରୀଙ୍କ ବାର୍ତ୍ତା, ଦେଶର ଆଇନ ସବୁଠୁ ଉପରେ

ନୂଆଦିଲ୍ଲୀ: ଦେଶର ନୂଆ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଟ୍ବିଟର୍‌କୁ ସତର୍କ କରାଇ ଦେଇଛନ୍ତି। ଦେଶର ଆଇନ ସବୁଠୁ ଉପରେ ଏବଂ ଏହାକୁ ମାନିବାକୁ ଟ୍ବିଟର୍‌ ବାଧ୍ୟ ବୋଲି ଆଇଟି ମନ୍ତ୍ରୀ ଆଜି ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଆଇଟି ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କର ଟ୍ବିଟର ସହିତ ଏକପ୍ରକାର ବିବାଦ ରହିଥିଲା। ନୂଆ ଆଇଟି ଆଇନକୁ ଏହି କମ୍ପାନି ପାଳନ କରୁ ନାହିଁ। ଆମେରିକାର ଆଇନ ଉଲ୍ଲଂଘନ ହେଉଥିବା ଅଭିଯୋଗରେ ଦେଶର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ କଂଗ୍ରେସ ସାଂସଦ ତଥା ଆଇଟି ସଂକ୍ରାନ୍ତ ସଂସଦୀୟ କମିଟିର ଅଧ୍ୟକ୍ଷ ଶଶୀ ଥରୁରଙ୍କ ଆକାଉଣ୍ଟକୁ ଗତ କିଛିଦିନ ତଳେ କିଛି ସମୟ ପାଇଁ ବନ୍ଦ କରିଦେଇଥିଲା। ଏହାକୁ ନେଇ ଦେଶରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିଲା।

କିନ୍ତୁ କମ୍ପାନି ଏପର୍ଯ୍ୟନ୍ତ ଭାରତର ଆଇନକୁ ପାଳନ କରୁନାହିଁ। ତେଣୁ ଏହି ଆମେରିକୀୟ କମ୍ପାନି ସହିତ ରବି ଶଙ୍କରଙ୍କର ବିବାଦ ତାଙ୍କ ପଦ ଯିବାର ଏକ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ଆଇଆଇଟି କାନପୁର ଏବଂ ଆମେରିକାର ହ୍ବାର୍ଟନ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିଥିବା ଅଶ୍ବିନୀ ବୈଷ୍ଣବଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ସେ ଆମେରିକୀୟ କମ୍ପାନି ସହିତ ଚାଲିଥିବା ବିବାଦରେ ସମାଧାନ କରିବା ଆଶାରେ ସରକାର ଉକ୍ତ ବିଭାଗ ଦେଇଛନ୍ତି ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। ତେବେ ବୈଷ୍ଣବ ପ୍ରଥମ ଦିନରୁ ହିଁ ସ୍ପଷ୍ଟ କରିଦେଇଛନ୍ତି ଯେ ଦେଶର ଆଇନ ସବୁଠୁ ଉପରେ। ତେଣୁ ଦେଶର ନିୟମ ମାନିବା ପାଇଁ ସେ ଟ୍ବିଟରକୁ କହିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ଟ୍ବିଟର ଜଣେ ଭାରତୀୟ ଗ୍ରିଭାନ୍ସ ଆଣ୍ଡ୍ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ତି ଦେବା ପାଇଁ ୮ ସପ୍ତାହ ସମୟ ଆବଶ୍ୟକ ବୋଲି କମ୍ପାନି କହିଛି।

ସମ୍ବନ୍ଧିତ ଖବର