ନୂଆ ପ୍ରଜାତିର କରୋନା ଭୁତାଣୁ ଭାରତରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ଭୁତାଣୁର ନୂଆ ମ୍ୟୁଟାଣ୍ଟ (ପରିବର୍ତ୍ତିତ ପ୍ରଜାତି) ଏ ଏପର୍ଯ୍ୟନ୍ତ ଭାରତରେ ଚିହ୍ନଟ ହୋଇନାହିଁ । ଲଣ୍ଡନରେ ଚିହ୍ନଟ ହୋଇଥିବା ଏହି ଭୁତାଣୁ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । କିନ୍ତୁ ଏହା ଦ୍ବାରା ଆମ ଦେଶରେ ତିଆରି ହେଉଥିବା ଟିକା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ବୋଲି ନିତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡ. ଭି.କେ.ପଲ କହିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନୂଆ କରୋନା ଭୁତାଣୁ ଆସିବା ପରେ ମୃତ୍ୟୁହାର ବୃଦ୍ଧି ପାଇଥିବା ଦେଖାଯାଇନାହିଁ । ଏଣୁ ଏହାକୁ ନେଇ ସେତେଟା ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ତେବେ ଆମକୁ ସତର୍କ ରହିବାକୁ ହେବ ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳକୁ ଖସିଯାଇଛି । ସେହିପରି ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମୋଟ ଆକ୍ରାନ୍ତ ସଂଖ୍ୟାର ୩ ପ୍ରତିଶତରୁ କମ ରହିଛି । ଗତ ୭ ସପ୍ତାହ ହେଲା ଦେଶରେ ଦୈନିକ ହାରାହାରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ଏହା ସହିତ ଆରୋଗ୍ୟ ହାର ୯୫ ପ୍ରତିଶତକୁ ଟପିଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ପ୍ରତିଶତ ମଧ୍ୟପ୍ରଦେଶ ତାମିଲନାଡ଼ୁ,ଛତିଶଗଡ଼,ପଶ୍ଚିମବଙ୍ଗ,ମହାରାଷ୍ଟ୍ର ଓ କେରଳରେ ଦେଖାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର