ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ଜମି ବିବାଦ ମାମଲା: ପରବର୍ତ୍ତୀ ଶୁଣାଣି ୨୦୧୮ ଫେବ୍ରୁଆରି ୮ରେ

ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌କୋର୍ଟରେ ଆରମ୍ଭ

ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ଏବଂ ବିବାଦୀୟ ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ମାମଲାର ଚୂଡ଼ାନ୍ତ ଶୁଣାଣି ଆଜି ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଅବୁଦୁଲ୍‌ ନଜିରଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠ ଆଜି ଅପରାହ୍ଣରେ ଏହି ମାମଲାର ଶୁଣାଣି କରିବା ପରେ ପରବର୍ତ୍ତୀ ଶୁଣାଣି ୨୦୧୮ ଫେବ୍ରୁଆରି ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଅର୍ଥାତ୍‌ ୬ ଡିସେମ୍ବରରେ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଆଜି ସୁପ୍ରିମ୍‌କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହୋଇଥିଲା।

ପୂର୍ବରୁ ଏହି ମାମଲାର ଶୁଣାଣି କରି ଏହ୍ଲାବାଦ ହାଇକୋର୍ଟ, ବାବ୍ରୀ ମସଜିଦ୍‌-ରାମ ଜନ୍ମଭୂମି ମଧ୍ୟରେ ବିବାଦୀୟ ଥିବା ୨.୭୭ ଏକର ଜମି ଉପରେ ମାଲିକାନା ଜାହିର କରୁଥିବା ତିନିପକ୍ଷ; ସୁନ୍ନି ଓ୍ଵାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲାଲା ଅନୁଷ୍ଠାନ ନିଜ ନିଜ ମଧ୍ୟରେ ସମାନ ଭାବରେ ସଂପୃକ୍ତ ବିବାଦୀୟ ଜମିକୁ ବାଣ୍ଟି ନେବାପାଇଁ ରାୟ ପ୍ରଦାନ କରିଥିଲେ। ତେବେ, ଏହ୍ଲାବାଦ ହାଇକୋର୍ଟର ଏହି ରାୟକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ୧୩ଟି ଅପିଲ୍‌ ଆଗତ ହୋଇଥିଲା। ଏହି ୧୩ଟି ଅପିଲ୍‌କୁ ବିଚାର ପାଇଁ ଗ୍ରହଣ କରିବା ସହ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଅବୁଦୁଲ୍‌ ନଜିରଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠରେ ଆଜି ଠାରୁ ଏହି ମାମଲାାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହୋଇଥିଲା।

Zee News

ତେବେ, ଆଜି ସୁପ୍ରିମ୍‌କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହେବା ମାତ୍ରେ ସୁନ୍ନି ଓ୍ଵାକଫ୍‌ ବୋର୍ଡ ପକ୍ଷରୁ ଏହି ମାମଲାରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନ୍‌ଜୀବୀ କପିଲ୍‌ ଶିବଲ କୋର୍ଟଙ୍କୁ ଏହି ମାମଲାର ଶୁଣାଣିକୁ ୨୦୧୯ ଜୁଲାଇ ପରକୁ, ଅର୍ଥାତ୍‌ ସାଧାରଣ ନିର୍ବାଚନ ସରିବା ପର ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ କହିଥିଲେ। ଏହି ମାମଲା ଶୁଣାଣିର ପ୍ରଭାବ କୋର୍ଟ ବାହାରେ ଗଭୀର ଭାବେ ପଡ଼ିବା ସହ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏତଦ୍‌ବ୍ୟତୀତ ଏହି ମାମଲା ସହ ଜଡ଼ିତ ଥିବା ୧୯ ହଜାର ପୃଷ୍ଠା ସମ୍ବଳିତ ଯେଉଁ ଦଲିଲ୍‌ ଏହ୍ଲାବାଦ ହାଇକୋର୍ଟରେ ଶୁଣାଣି ସମୟରେ ଦାଖଲ ହୋଇଥିଲା ତାହା ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର ହୋଇ ନଥିବା ସେ କୋର୍ଟଙ୍କୁ କହିଥିଲେ।

ମାତ୍ର, ଏହ୍ଲାବାଦ ହାଇକୋର୍ଟରେ ରାହିଥିବା ଏ ମାମଲା ସଂକ୍ରାନ୍ତୀୟ ସମସ୍ତ ଦଲିଲ୍‌ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତରିତ ହୋଇ ସାରିଛି ବୋଲି ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଥିଲେ। ଏହପରେ ଆଇନ୍‌ଜୀବୀ କପିଲ୍‌ ଶିବଲ କୋର୍ଟଙ୍କୁ କହିଥିଲେ ଯେ ଏସବୁ ଦଲିଲ୍‌ର ନକଲ ପ୍ରତିପକ୍ଷକୁ ମିଳି ନଥିବା ଏବଂ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବାବ୍ରୀ ମସଜିଦ୍‌ ସଂପର୍କରେ ଏକ ସଂପୂର୍ଣ୍ଣ ଅବିଶ୍ୱାସଯୋଗ୍ୟ ଓ ଭୁଲ୍‌ ରିପୋର୍ଟ ଉପସ୍ଥାପିତ କରାଯାଇଥିବା ଦର୍ଶାଇ ଏହି ସମ୍ବେଦନଶୀଳ ମାମଲାର ଶୁଣାଣିକୁ ସୁପ୍ରିମ୍‌ କୋର୍ଟର ଏକ ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ପରିବର୍ତ୍ତେ ସାତ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବାଧିନିକ ବେଞ୍ଚରେ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ।

Reuters/

ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମିଶ୍ର ଏହି ମାମଲା ସହ ଜଡ଼ିତ ସମସ୍ତ ଦଲିଲର ନକଲ ପ୍ରତିପକ୍ଷ ଓକିଲଙ୍କୁ ଯଥାଶୀଘ୍ର ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଶୁଣାଣି କେବେ ଓ କିପରି ହେବାକୁ ପ୍ରତିପକ୍ଷମାନେ ପସନ୍ଦ କରିବେ ସେସଂପର୍କରେ ଏକାଠି ମିଳିତ ଭାବେ ବସି ନିଷ୍ପତ୍ତି ନେବାକୁ ପରାମର୍ଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ୨୦୧୮ ଫେବ୍ରୁଆରି ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର