ଭେଷଜ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଷ୍ଟକ୍‌ହୋମ୍‌: ଭେଷଜ ବିଜ୍ଞାନରେ ୩ ଜଣଙ୍କୁ ଚଳିତବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଆମେରିକାର ହା‌ର୍ଭେ ଜେ ଅଲ୍‌ଟର୍‌, ଚାର୍ଲସ୍‌ ଏମ୍‌ ରାଇସ୍ ଓ ବ୍ରିଟେନ୍‌ର ମାଇକେଲ ହ୍ୟୁଟନ। ହେପାଟାଇଟିସ୍‌ ସି ଭୂତାଣୁ ଆବିଷ୍କାର କରିଥିବାରୁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ଉକ୍ତ ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଷ୍ଟକ୍‌ହୋମ୍‌ଠାରେ ନୋବେଲ କମିଟି ମୁଖ୍ୟ ଥୋମାର୍ସ ପର୍ଲମ୍ୟାନ୍ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ବିଜେତାମାନଙ୍କୁ ୧୦ ନିୟୁତ‌ ସ୍ବିଡିସ୍ କ୍ରୋନର(ପ୍ରାୟ ୧୧୧୮୦୦୦ ଆମେରିକୀୟ ଡଲାର) ରାଶି ସମେତ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

କରୋନା ଭୂତାଣୁର ସଂକ୍ରମଣକୁ ନେଇ ସମଗ୍ର ବିଶ୍ବ ଏବେ ଚିନ୍ତିତ। ଜୀବନ ଓ ଜୀବିକା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଏହି ସମୟରେ ଭେଷଜ ବିଜ୍ଞାନରେ କାହାକୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ତାହା ଉପରେ ସମଗ୍ର ବିଶ୍ବର ନଜର କେନ୍ଦ୍ରୀଭୂତ ଥିଲା। ସେହି ପରିପ୍ରେକ୍ଷୀରେ ହେପାଟାଇଟିସ୍ ଭୂତ‌ାଣୁର ଆବିଷ୍କାର ପାଇଁ ଉପରୋକ୍ତ ବୈଜ୍ଞାନିକମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ ଅନେକ ଗୁରୁତ୍ବ ବହନ କରୁଛି। ଆଗାମୀ ଦିନରେ ଚଳିତବର୍ଷ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ବିଶ୍ବରେ ପ୍ରତିବର୍ଷ ୭ କୋଟିରୁ ଅଧିକ ଲୋକ ହେପାଟାଇଟିସ ରୋଗରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪ ଲକ୍ଷ ଲୋକ ପ୍ରତିବର୍ଷ ମୃତ୍ୟୁବରଣ କରିଥାନ୍ତି। ଦୀର୍ଘଦିନ ଧରି ଏହି ରୋଗ ରୋଗୀଙ୍କ ଠାରେ ରହିଥାଏ। ଯକୃତ ସଂକ୍ରମଣ ଓ କର୍କଟ ରୋଗର ଏହା ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଇଥାଏ।

ସମ୍ବନ୍ଧିତ ଖବର