ନୂଆଦିଲ୍ଲୀ: ଲଗାତାର ୪୧ ଦିନ ଧରି ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦେଶରେ ପୁଣିଥରେ ଅଢ଼େଇ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୯,୧୭୦ ମାମଲା ଚିହ୍ନଟ ହୋଇଛି ଏବଂ ୧୭୬୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୫୩,୨୧,୦୮୯ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ଟପିଯାଇଛ। ଦେଶରେ ସକ୍ରିୟ ମାମଲା ୨୦ ଲକ୍ଷ ଟପିଯାଇଛି ଏବଂ ମୋଟ୍ ସକ୍ରିୟ ରୋଗୀ ସଂଖ୍ୟା ୨୦,୩୧,୯୭୭ ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୩.୨୬ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୫.୫୬ ପ୍ରତିଶତକୁ ଖସି ଆସିଛି। ଆଇସିଏମ୍ଆର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ୨୬,୯୪,୧୪,୦୩୫ ନମୁନା ପରୀକ୍ଷା ହୋଇଛି। କେବଳ ଗତକାଲି ୧୫,୧୯,୪୮୬ ନମୁନା ପରୀକ୍ଷା ହୋଇଛି। ୧୦ ରାଜ୍ୟରେ ୭୭ ପ୍ରତିଶତରୁ ଅଧିକ ନୂଆ ମାମଲା ରହିଛି।
ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନରେ ନୂଆ ସଂକ୍ରମଣ ମାମଲାର ୭୭.୬୭ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୫୮,୯୨୪ ମାମଲା ଚିହ୍ନଟ ହୋଇଛି, ଉତ୍ତରପ୍ରଦେଶରେ ୨୮,୨୧୧ ଏବଂ ଦିଲ୍ଲୀରେ ୨୩,୬୮୬ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଜାତୀୟ ମୃତ୍ୟୁ ହାର କମୁଛି ଏବଂ ଏହା ଏବେ ୧.୧୮ ପ୍ରତିଶତ ଅଛି।
ଦେଶରେ ଏବେ କରୋନା ଚିକିତ୍ସା ପାଇଁ ୨,୦୮୪ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଅଛି ଏବଂ ୧୨,୦୦୦ କ୍ବାରାଣ୍ଟିନ୍ ସେଣ୍ଟର ଅଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆମର ମୃତ୍ୟୁହାର ଏବେ ୧.୧୮ ପ୍ରତିଶତ ଅଛି। କେବଳ ୧.୭୫ ପ୍ରତିଶତ ଲୋକ ଆଇସିୟୁରେ ଅଛନ୍ତି। ୦.୪୦ ପ୍ରତିଶତ ଭେଣ୍ଟିଲେଟର ସପୋର୍ଟ ଏବଂ ୪.୦୩ ପ୍ରତିଶତ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି। ବିଗତ ୩-୪ ଦିନରେ ବଡ଼ ହସ୍ପିଟାଲ୍ମାନଙ୍କରେ ୮୦୦ରୁ ଅଧିକ ଅଣ-ଆଇସିୟୁ ଅକ୍ସିଜେନ୍ ବେଡ୍ ଯୋଡ଼ାଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।
ଭାରତରେ ସଂକ୍ରମଣ ଶୀର୍ଷ ଛୁଇଁବ କେବେ?
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଭାରତରେ ସଂକ୍ରମଣ କେବେ ଶୀର୍ଷ ଛୁଇଁବ ଏବଂ କେବେ ସଂକ୍ରମଣ ହ୍ରାସ ପାଇବ ସେହି ପ୍ରଶ୍ନକୁ ନେଇ ତର୍ଜମା ଲାଗି ରହିଛି। ମାକ୍ସ ହେଲ୍ଥକେୟାର ନିର୍ଦ୍ଦେଶକ ରମେଲ ଟିକୋ କହିଛନ୍ତି ଖୁବ୍ଶୀଘ୍ର ଦେଶରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବାକୁ ଯାଉଛି। ମେ ମାସ ମଧ୍ୟଭାଗ ସୁଦ୍ଧା ଦ୍ବିତୀୟ ଲହର ଶୀର୍ଷ ଅତିକ୍ରମ କରିଯାଇଥିବା ବୋଲେି ସେ କହିଛନ୍ତି।
ଏବେ ଭାରତରେ ୭୭.୬୭ ପ୍ରତିଶତ ସଂକ୍ରମଣ ମାମଲା ୧୦ଟି ରାଜ୍ୟରେ ରହିଛି। ସେଥିରୁ ସିଂହଭାଗ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରୁ ଆସୁଛି। ଏପ୍ରିଲ୍ରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପୂର୍ବରୁ କେତେକ ବିଶେଷଜ୍ଞ ମତ ଦେଇଥିବା ବେଳେ ଏବେ ମେ’ରେ ହିଁ ସଂକ୍ରମଣ ବାସ୍ତବରେ କମିବା ଆରମ୍ଭ କରିବ ଏବଂ ସ୍ଥିତିରେ ବଡ଼ ସୁଧାର ହେବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-34.jpg)