ସକ୍ରିୟ ମାମଲା ୧୦ ଲକ୍ଷ ଟପିଲା: ୨୪ ଘଣ୍ଟାରେ ରେକର୍ଡ ୯୭,୮୯୪ ସଂକ୍ରମିତ

ଆଖି ବୁଜିଲେଣି ୩୮୨ ଡାକ୍ତର

ନୂଆଦିଲ୍ଲୀ: ଗୋଟିଏ ଦିନରେ ରେକର୍ଡ ୯୭ ହଜାର ୮୯୪ ନୂଆ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୫୧ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ପୁଣି ୧୧୩୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି ପାଇଥିବାବେଳେ ମୋଟ୍‌ ସଂକ୍ରମଣ ମାମଲା ୫୧ ଲକ୍ଷ ୧୮ ହଜାର ୨୫୩ ରହିଛି। କିନ୍ତୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ଏକପ୍ରକାର ଆଶ୍ବସ୍ତିଜନକ ହୋଇଛି। ମୋଟ୍‌ ୪୦ ଲକ୍ଷ ୨୫ ହଜାର ୭୯ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଦେଶ‌ରେ ମୃତ୍ୟୁହାର ୧.୬୩ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ଆଜି ୧୦ ଲକ୍ଷ ଟପିଯାଇଛି। ମୋଟ୍‌ ୧୦ ଲକ୍ଷ ୯ ହଜାର ୯୭୬ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମମଲାର ୧୯.୭୩ ପ୍ରତିଶତ। ସେପ୍ଟେମ୍ବର ୧୬ ସୁଦ୍ଧା ଦେଶରେ ମୋଟ୍‌ ୬ କୋଟି ୫ ଲକ୍ଷ ୬୫ ହଜାର ୭୨୮ ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୧୧ ଲକ୍ଷ ୩୬ ହଜାର ୬୧୩ ନମୁନା ପରୀକ୍ଷା ହୋଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୭୪, ଉତ୍ତରପ୍ରଦେଶରେ ୮୬, ପଂଜାବରେ ୭୮, ଆନ୍ଧ୍ରପ୍ରଦେଶରେ ୬୪, ପଶ୍ଚିମବଙ୍ଗରେ ୬୧ , ତାମିଲନାଡ଼ୁରେ ୫୧,କର୍ଣ୍ଣାଟକରେ ୫୫ ଏବଂ ଦିଲ୍ଲୀରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମହାରାଷ୍ଟ୍ରରେ ମୋଟ୍‌ ମୃତ୍ୟୁସଂଖ୍ୟା ସର୍ବାଧିକ ୩୦ ହଜାର ୮୮୩ ଥିବାବେଳେ ତାମିଲନାଡ଼ୁରେ ୮,୫୫୯, କର୍ଣ୍ଣାଟକରେ ୭,୫୩୬, ଆନ୍ଧ୍ରପ୍ରଦେଶରେ ୫,୧୦୫, ଦିଲ୍ଲୀରେ ୪,୮୩୯, ଉତ୍ତରପ୍ରଦେଶରେ ୪, ୬୯୦, ପଶ୍ଚିମବଙ୍ଗରେ ୪,୧୨୩ , ଗୁଜରାଟରେ ୩,୨୫୬ ଜଣଙ୍କ ମୃତ୍ୟୁ ହୋଇଛି।

ଆଖି ବୁଜିଲେଣି ୩୮୨ ଡାକ୍ତର
ନୂଆଦିଲ୍ଲୀ: ସଂସଦରେ କୋରାନା ଭୂତାଣୁ ପ୍ରସଙ୍ଗରେ ଉତ୍ତର ରଖିଲା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସେଥିରେ ପ୍ରାଣବଳି ଦେଇଥିବା ଡାକ୍ତରଙ୍କ ବିଷୟରେ ପଦଟିଏ ବି ଉଲ୍ଲେଖ କରିନଥିବାରୁ ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ) ଭୀଷଣ କ୍ଷୁବ୍‌ଧ ହୋଇଛି। କୋଭିଡ୍‌ ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ଅଦ୍ୟାବଧି ୩୮୨ ଜଣ ଡାକ୍ତର ପ୍ରାଣ ହରାଇଥିବା ବେଳେ ସରକାର ସେମାନଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ସରକାର ମହାମାରୀ ଆଇନ-୧୮୯୭ ଓ ଦୁର୍ବିପାକ ପରିଚାଳନା ଆଇନ ଲାଗୁ କରାଇବାର ନୈତିକ ଦାୟିତ୍ବ ହରାଇ ବସିଛନ୍ତି ବୋଲି ଆଇଏମ୍‌ଏ ଅଭିଯୋଗ କରିଛି। ଅନ୍ୟ କୌଣସି ଦେଶରେ କୋଭିଡ୍‌ ପରିଚାଳନା କରୁଥିବା ଏତେ ସଂଖ୍ୟକ ଡାକ୍ତରଙ୍କର ମୃତ୍ୟୁ ହୋଇନଥିବା ବେଳେ ଆମ ସରକାର ସେମାନଙ୍କୁ ଏପରି ଅଣଦେଖା କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି ଆଇଏମ୍‌ଏ କହିଛି। ଏଥିରୁ ସରକାର ଡାକ୍ତରମାନଙ୍କୁ ସତେ ଯେପରି ପରିହାର୍ଯ୍ୟ ବୋଲି ବିଚାରୁଥିବା ସଂଘ ଅଭିଯୋଗ ଆଣିଛି।

ସମ୍ବନ୍ଧିତ ଖବର