ସକ୍ରିୟ ମାମଲା ୬ ଲକ୍ଷରୁ କମ୍‌, ଆରୋଗ୍ୟ ହାର ୯୬.୭୫%ରେ ପହଞ୍ଚିଲା

ପୁଣି ୫୦ ହଜାର ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନର ଆଶ୍ବସ୍ତି ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୫୦ ହଜାର ଅତିକ୍ରମ କରିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୫୦,୦୪୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଦେଶରେ କୋଭିଡ୍‌ ଆରୋଗ୍ୟ ହାର ୯୬.୭୫%କୁ ବଢ଼ିଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୬ ଲକ୍ଷ ତଳେ ରହିଛି। ଏବେ ଦେଶରେ ମୋଟ ୫,୮୬,୪୦୩ ସକ୍ରିୟ ରୋଗୀ ଅଛନ୍ତି ଏବଂ ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଗତକାଲି ୪୮,୬୯୮ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ୨୧ ଜୁନ୍‌ରେ ୪୨, ୬୪୦ ମାମଲା ଆସିଥିଲା। ଦେଶରେ ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୬ ହଜାର ୫୪୯ ରହିଛି। ମହାରାଷ୍ଟ୍ରରେ ଆଜି ୯୮୧୨ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ୫୧୧ ଜଣଙ୍କ ମୃତ୍ୟୁ ହେଇଛି। ମଧ୍ୟପ୍ରଦେଶରେ ୪୬ଟି ନୂଆ ମାମଲା ଆସିଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ୫୨ ଜିଲ୍ଲାରୁ ୩୫ ଜିଲ୍ଲାରେ ବିଗତ ୨୪ ଘଣ୍ଟାରେ ଗୋଟିଏ ବି ସଂକ୍ରମଣ ମାମଲା ନ ଆସିବା ଆଶ୍ବସ୍ତିର କାରଣ ହୋଇଛି। ଦିଲ୍ଲୀରେ ଏହି ସମୟ ମଧ୍ୟରେ ମାତ୍ର ୮୯ ନୂଆ ମାମଲା ଆସିଥିବା ବେଳେ କେରଳରେ ସର୍ବାଧିକ ୧୨,୧୧୮ ନୂଆ ମାମଲା ଚିହ୍ନଟ ହୋଇଛି। କର୍ଣ୍ଣାଟକରେ ୪୨୭୨ ଏବଂ ଆନ୍ଧ୍ର ପ୍ରଦେଶରେ ୪୧୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ନୂଆ ସଂକ୍ରମଣ ମାମଲାରୁ ୫ଟି ରାଜ୍ୟରେ ୭୧.୭୮% ରହିଛି । ୨୪ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୫୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡ଼ୁରେ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର