ଭାରତରେ ଆକ୍ରାନ୍ତ ସଂଖ୍ୟା ୫୩ ହଜାର ଛୁଇଁବ: ୨୪ ଘଣ୍ଟାରେ ୩୫୬୧ ନୂଆ ମାମଲା, ୮୯ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ଲଗାତାର ୫ ଦିନ ଧରି ସଂକ୍ରମଣ ମାମଲା ବଢ଼ିଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୩ହଜାର ଟପିଯିବ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୬୧ ନୂଆ ମାମଲା ରିପୋର୍ଟ କରାଯାଇଛି ଏବଂ ୮୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ କରୋନା ମାମଲା ୫୨ହଜାର ୯୫୨ରେ ପହଞ୍ଚିଛି ଏବଂ ୧୭୮୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ୩୫ହଜାର୯୦୨ ସକ୍ରିୟ ମାମଲା ରହିଛି ଏବଂ ୧୫ହଜାର ୨୬୬ ଜଣ ଆରୋଗ୍ୟ ହୋଇଛନ୍ତି। ‌ତେବେ ଦେଶରେ ସଂକ୍ରମଣ ମାମଲା ୩୦ହଜାରରୁ ୪୦ହଜାର ହେବାପାଇଁ ୫ ଦିନ ଲାଗିଥିବାବେଳେ ପରବର୍ତ୍ତୀ ୧୦ହଜାର ହେବାପାଇଁ ମାତ୍ର ୩ ଦିନ ଲାଗିଛି। ଏପ୍ରିଲ ୨୮ ତାରିଖରେ ଭାରତରେ ସଂକ୍ରମଣ ମାମଲା ୩୦ ହଜାର ଟପିଥିଲା। କିନ୍ତୁ ମେ’ ୩ ତାରିଖରେ ଏହା ୪୦,୦୦୦ ଟପିଲା। ପରବର୍ତ୍ତୀ ୧୦ହଜାର ସଂକ୍ରମଣ ପାଇଁ ମାତ୍ର ୩ ଦିନ ଲାଗିଛି। ଭାରତରେ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଚାଲିଥିବାରୁ ଅଧିକ ସଂକ୍ରମଣ ଥିବା ସ୍ଥାନ ଉପରେ ଫୋକସ୍‌ କରାଯାଇଛି।

ଦେଶରେ ସବୁଠୁ ଅଧିକ ପ୍ରଭାବଟ୍ର ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧୬ହଜାର ୭୫୮ ରହିଛି। ମହାରାଷ୍ଟ୍ରରେ ଗୁରୁବାର ସକାଳ ସୁଦ୍ଧା ୬୫୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜରାଟ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬ହଜାର୬୨୫ ଥିବାବେଳେ ଏଠାରେ ୩୮୬ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଏବଂ ଗୁଜରାଟ ପରେ ଦିଲ୍ଲୀରେ ସଂକ୍ରମଣ ମାମଲା ୫,୫୩୨ ରହିଛି। ଏହାପରକୁ ତାମିଲନାଡ଼ୁରେ ୪,୮୨୯ ଜଣ ସଂକ୍ରମିତ ହୋଇଛନ୍ତି, ରାଜସ୍ଥାନରେ ୩,୩୧୭, ମଧ୍ୟପ୍ରଦେଶରେ ୩,୧୩୮ ଏବଂ ଉତ୍ତରପ୍ରଦେଶରେ ୨,୯୯୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ଏବେ ୩୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୩୩ଟିକୁ ସଂକ୍ରମଣ ବ୍ୟାପିଛି। କିନ୍ତୁ କେନ୍ଦ୍ର ସରକାର କହିଛନ୍ତି ଏଯାଏଁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

ସମ୍ବନ୍ଧିତ ଖବର