କରୋନା ନେଲାଣି ୩.୬୮ ଲକ୍ଷ ଜୀବନ, ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୮ ଲକ୍ଷ ଛୁଇଁବ

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କରୋନା ସହିତ ଏବେ ପୂରା ବିଶ୍ବ ଲଢ଼ୁଛି। ବିଶ୍ବବ୍ୟାପୀ କରୋନାଭାଇରସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଏବେ ୩ ଲକ୍ଷ ୬୮ ହଜାର ଅତିକ୍ରମ କରିଗଲାଣି। ଅନ୍ୟପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୬୦ ହଜାରରେ ପହଞ୍ଚିଥିବା ବେଳେ ଏଥିରୁ କେବଳ ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୮ ଲକ୍ଷ ଛୁଇଁବାକୁ ଯାଉଛି। ଆମେରିକାରେ ଆଜି ସୁଦ୍ଧା ୧ ଲକ୍ଷ ୬ ହଜାର ଲୋକଙ୍କ କରୋନାରେ ପ୍ରାଣ ଯାଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ କେତେକ ସ୍ଥାନରେ ଆରମ୍ଭ ହୋଇଯାଇଛି।

ଜାପାନ କରୋନାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ସହ ନିକଟରେ ଜରୁରୀ ସ୍ଥିତି ହଟାଇ ଦେଇଥିବା ବେଳେ ଆଜି ପୁଣି ୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଚୀନ୍‌ରେ ୬ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସପ୍ତାହକ ମଧ୍ୟରେ ଆସିଥିବା ୩ ଶହରୁ ଅଧିକ ମାମଲା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଚୀନ୍‌ରେ ଏବେ ଅଚାନକ ଲକ୍ଷଣ ବିହୀନ ମାମଲା ସାମ୍ନାକୁ ଆସୁଥିବାରୁ ନୂଆ କଟକଣା ଆରମ୍ଭ ହୋଇଛି। ଦକ୍ଷିଣ କୋରିଆରେ ପ୍ରାୟ ୪୦ଟି ନୂଆ ସଂକ୍ରମଣ ମାମଲା ଠାବ ହୋଇଛି। ଦକ୍ଷିଣ କୋରଆରେ ଏ ପର୍ଯ୍ୟନ୍ତ ୧୧ ହଜାର ୪୪୧ ମାମଲା ସାମ୍ନାକୁ ଆସିଥିବା ବେଳେ ୨୬୯ ଲୋକଙ୍କ ମୃତ୍ୟୁ ଘଟିଛି।

ବ୍ରାଜିଲ୍‌ରେ ଏବେ କରୋନା ସଂକ୍ରମଣ ସ୍ଥିତି ଅତି ଜଟିଳ ରୂପ ନେଇଛି ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟ ୨୮ ହଜାରରେ ପହଞ୍ଚିଲାଣି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଜେୟର ବୋଲ୍‌ସନାରୋ କହିଛନ୍ତି ଯେ ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବା ଠିକ୍‌ ନିଷ୍ପତ୍ତି ନୁହେଁ। ସବୁକିଛି ବନ୍ଦ କରିଦେବା ଦେଶପାଇଁ ଅପମାନ ବୋଲି ସେ କହିଛନ୍ତି। ବ୍ରାଜିଲରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୮ ହଜାର ରହିଛି ଏବଂ ଆମେରିକା ପରେ ବ୍ରାଜିଲର ସ୍ଥାନ ଦ୍ବିତୀୟରେ ରହିଛି। ରୁଷ୍‌ରେ ପ୍ରାୟ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୫୫୫ ଲୋକଙ୍କ କରୋନାରେ ମୃତ୍ୟୁ ଘଟିଲାଣି। ବ୍ରିଟେନ୍‌ରେ ଆଜି ଆକ୍ରାନ୍ତ ସଂଖ୍ୟା ୨୭୧୨୨୨ରେ ପହଞ୍ଚିଛି ଏବଂ ଆଜି ସୁଦ୍ଧା ଦେଶରେ ୩୮, ୧୬୧ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର