ବିଶ୍ବବ୍ୟାପୀ ଆକ୍ରାନ୍ତ ସଂଖ୍ୟା ୪୮ଲକ୍ଷ ଟପିଲା, ଚୀନ୍‌ରେ ପୁଣି ୨୫ ନୂଆ ମାମଲା

ଉହାନ୍‌ରେ ଲକ୍ଷଣ ନଥିବା ସର୍ବାଧିକ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସଂକ୍ରମଣର କୌଣସି ଲକ୍ଷଣ ନଥିବା ପ୍ରାୟ ୧୪ଟି ମାମଲା କେବଳ ଉହାନ୍‌ରୁ ଚିହ୍ନଟ କରାଯାଇଛି। କ‌ରୋନାର ପ୍ରଥମ ଉତ୍ପତ୍ତିସ୍ଥଳ ଉହାନ୍‌ରେ ୧୧ ନିୟୁତ ଜନସଂଖ୍ୟା ଥିବା ବେଳେ ଉହାନ୍‌ରେ ପ୍ରତି ଲୋକଙ୍କ କରୋନା ପରୀକ୍ଷା କରାଯିବ। ତେବେ ଉହାନ୍‌ରେ ଲକ୍ଷଣ ନଥିବା ପ୍ରାୟ ୩୩୭ଟି ମାମଲା ଚିହ୍ନଟ ହୋଇଛି। ଏନ୍‌ଏଚ୍‌ସି ପକ୍ଷରୁ କୁହାଯାଇଛି ଯେ, ରବିବାର ଦିନ ୭ ନୂଆ ମାମଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ନଥିବା ୧୮ଟି ମାମଲା ଚିହ୍ନଟ ହୋଇଛି। ଜିଲିନ୍‌ ପ୍ରଦେଶରେ କ୍ଲଷ୍ଟର୍‌ ସଂକ୍ରମଣ ଆରମ୍ଭ ହେବା ପରେ ଗତ କିଛିଦିନ ଧରି ଏଠାରେ କଡ଼ା ପଦକ୍ଷେପ ଗ୍ରହଣ ହୋଇଥିଲା ଏବଂ ରବିବାର ଏଠାରୁ ୨ଟି ମାମଲା ଏବଂ ସାଂଘାଇ ସହରରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି। ରବିବାର ସୁଦ୍ଧା ଚୀନ୍‌ରେ ମୋଟ୍‌ ୮୨ ହଜାର ୯୫୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୭୮ ହଜାର ୨୩୮ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ କୌଣସି ଲକ୍ଷଣ ନଥିବା ମାମଲା ଅଧିକ ଚିନ୍ତା ବଢ଼ାଇଛି। କାରଣ କରୋନା ପଜିଟିଭ୍‌ ହେଉଥିବା ରୋଗୀମାନଙ୍କ ପାଖରେ ଜ୍ବର, କାଶର କୌଣସି ଲକ୍ଷଣ ନାହିଁ।

ସେମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ଅଧିକ ରହିଛି। ଚୀନ୍‌ର ଉତ୍ତରପୂର୍ବରେ ୧୦୦ ନିୟୁତରୁ ଅଧିକ ଲୋକଙ୍କ ପାଇଁ ପୁଣି ଥରେ ଲକ୍‌ଡାଉନ୍‌ ନିୟମାବଳୀ ଜାରି ହୋଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା‌ ୧୫ ଲକ୍ଷ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୮ ହଜାର ୮୭୩ ମାମଲା ଚିହ୍ନଟ ହୋଇଛି ଏବଂ ୮୦୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆମେରିକାରେ ମୃତ୍ୟୁସଂଖ୍ୟା ୯୧ ହଜାରରେ ପହଞ୍ଚିବ। ବିଶ୍ବବ୍ୟାପୀ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ‌ା ଏବେ ୪୮ ଲକ୍ଷ ୨୨ ହଜାର ଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୧୭ ହଜାର ୯୬୭ରେ ପହଞ୍ଚିଛି। ତେବେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ଟପିଯାଇଛି ଏବଂ ୯୦୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ସଂକ୍ରମଣ ମାମଲା ବଢ଼ୁଛି। ସେପଟେ ବ୍ରାଜିଲ୍‌ ଏବେ ବିଶ୍ବରେ କ‌ରୋନା ଭୂତାଣୁର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ବ୍ରାଜିଲ୍‌ର ସବୁଠୁ ବଡ଼ ସହର ସାଓପାଉଲୋର ମେୟର ଆଜି ଏକ ଚେତାବନୀ ଦେଇଛନ୍ତି ଯେ, ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଖୁବ୍‌ ଶୀଘ୍ର ଭୁଶୁଡ଼ି ପଡ଼ିବ। ଦେଶରେ ୯୦ ପ୍ରତିଶତ ଆଇସିୟୁ ଭର୍ତ୍ତି ହୋଇସାରିଛି। ତେଣୁ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର