ନୂଆଦିଲ୍ଲୀ: ରୁଷ୍ରେ ଧୀରେ ଧୀରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲଗାତାର ୩ ଦିନ ଧରି ରୁଷ୍ରେ ୧୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ରେ ପୁଣି ୧୦ ହଜାର ୫୮୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୫ହଜାର ୨୬୮ ରହିଛି ଏବଂ ମୃତ୍ୟୁସଂଖ୍ୟା ୧୩୫୬ରେ ପହଞ୍ଚିଛି। ତେବେ ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୮୫ ହଜାର ୬୪ରେ ପହଞ୍ଚିଛି ଏବଂ ୨ ଲକ୍ଷ ୪୮ ହଜାର ୬୫୫ ଜଣଙ୍କ ମୃତ୍ୟୁ ହୋଇଛି। ସମଗ୍ର ବିଶ୍ବରେ ୟୁରୋପ ମହାଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉତ୍ତର ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ସଂକ୍ରମଣର ମାତ୍ରା ବଢ଼ୁଛି। ବିଶ୍ବରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୭୭୯ ନୂଆ ମାମଲା ଚିହ୍ନଟ କରାଯାଇଛି। ୟୁରୋପରେ ପ୍ରାୟ ୧୬ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୪୩ହଜାର ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୮ହଜାର ୮୨୬ରେ ପହଞ୍ଚିଛି ଏବଂ ୬୮ହଜାର ୬୦୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଅନେକ ରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଚେତାବନୀ ଦେଇଛନ୍ତି।
ଜାପାନ୍ରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଜାପାନ୍ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମେ' ୩୧ ପର୍ଯ୍ୟନ୍ତ ଏମର୍ଜେନ୍ସିକୁ ବଢ଼ାଇଛନ୍ତି। ବ୍ରିଟେନ୍ରେ କରୋନା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ସେଠାରେ ୨୮ହଜାର ୪୪୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲିରେ ୨୮ହଜାର ୮୮୪ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍ ଖୁବ୍ଶୀଘ୍ର ଇଟାଲିକୁ ଟପିଯିବ ବୋଲି କୁହାଯାଉଛି। ସେହିପରି ସ୍ପେନ୍ରେ ମୃତ୍ୟୁସଂଖ୍ୟା ୨୫ହଜାର ୨୬୪ ରହିଛି ଏବଂ ଫ୍ରାନ୍ସରେ ୨୪ହଜାର ୮୯୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ପେନ୍ରେ ସଂକ୍ରମଣ ମାମଲା ବହୁ କମିଯାଇଥିବା ଜଣାପଡ଼ିଛି। ତେଣୁ ସ୍ପେନ୍ରେ ଲକ୍ଡାଉନ୍ କୋହଳ ନେଇ ନିଷ୍ପତ୍ତି ନିଆଯାଇଛି। ଆମେରିକାରେ ୨୪ ଘଣ୍ଟାରେ ୨୫ହଜାର ୫୦୨ଟି ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୧୩୧୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ନ୍ୟୁଜ୍ଲାଣ୍ଡ୍ରେ ୭ ସପ୍ତାହ ମଧ୍ୟରେ ଗୋଟିଏ ବି ନୂଆ ମାମଲା ନାହିଁ। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ଟପିଛି। ୨୪ ଘଣ୍ଟାରେ ପାକିସ୍ତାନରେ ୧୦୮୩ ନୂଆ ମାମଲା ରେକର୍ଡ କରାଯାଇଛି। ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୪୬୨ରେ ପହଞ୍ଚିଛି। ସିଙ୍ଗାପୁରରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର୭୭୮ ପହଞ୍ଚିଛି।