ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଦିନକରେ ରେକର୍ଡ ୧୩ ହଜାର ୫୮୬ ମାମଲା
ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ଅତି ଉଦ୍ବେଗଜନକ ସ୍ତରରେ ପହଞ୍ଚିଛି। ଭାରତରେ ଲଗାତାର ପ୍ରାୟ ୧୦ ଦିନ ଧରି ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହୁଛି। ଆଜି ପୁଣି ଦେଶରେ ୧୩ ହଜାର ୫୮୬ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୩ ଲକ୍ଷ ୮୦ ହଜାର ୫୩୨ରେ ପହଞ୍ଚିଛି। ତେବେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି। ୨ ଲକ୍ଷ ୪ ହଜାର ୭୧୦ ଜଣ ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ଦେଶରେ ୧ ଲକ୍ଷ ୬୩ ହଜାର ୨୪୮ଟି ସକ୍ରିୟ ମାମଲା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ ୫୩.୭୯ ପ୍ରତିଶତ ଲୋକ ଆରୋଗ୍ୟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ୧ରୁ ୧୯ ମଧ୍ୟରେ ଦେଶରେ ୧ ଲକ୍ଷ ୧୯ ହଜାର ୯୯୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ଆଇସିଏମ୍ଆର ରିପୋର୍ଟ ଅନୁଯାୟୀ ଜୁନ୍ ୧୮ ସୁଦ୍ଧା ଦେଶରେ ୬୪ ଲକ୍ଷ ୨୬ ହଜାର ୬୨୭ ନମୁନା ପରୀକ୍ଷା କରାଯାଇଛି। ତେବେ ଗୁରୁବାର ଦିନ ମୋଟ୍ ୧ଲକ୍ଷ ୭୬ ହଜାର ୯୫୯ଟି ନମୁନା ପରୀକ୍ଷା ହୋଇଛି। ତେବେ ଗତକାଲିଠାରୁ ଶୁକ୍ରବାର ସକାଳ ସୁଦ୍ଧା ହୋଇଥିବା ୩୩୬ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୦୦, ଦିଲ୍ଲୀରେ ୬୫, ତାମିଲନାଡ଼ୁରେ ୪୯, ଗୁଜରାଟରେ ୩୧, ଉତ୍ତରପ୍ରଦେଶରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି।