୮୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ: ଦିନକରେ ୩,୩୦୩ ମୃତ, ମହାରାଷ୍ଟ୍ରର ମୋଟ୍‌ ମୃତ୍ୟୁ ୧.୦୮ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ଫିକା ପଡ଼ି ଆସିବା ସହ ଲଗାତାର ଷଷ୍ଠ ଦିନ ପାଇଁ ଶନିବାର ମଧ୍ୟ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି। ଏପରିକି ଏହା ୮୦ ହଜାର ପାଖକୁ ଖସି ଆସି ଗତ ୭୧ ଦିନ ଭିତରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସେହିପରି ଶୁକ୍ରବାର ତୁଳନାରେ ଶନିବାର ଦୈନିକ ମୃତ୍ୟୁ ହଜାରେ ପାଖାପାଖି କମି ଆସିଥିଲେ ହେଁ ମହାରାଷ୍ଟ୍ରରେ ବକେୟା ମୃତକ ତାଲିକା ସଂଶୋଧନ ଜାରି ରହିଥିବାରୁ ଦୈନିକ ମୃତ୍ୟୁ ତଥାପି ୩ ହଜାର ଉପରେ ରହିଛି। ମହାରାଷ୍ଟ୍ରର ମୋଟ୍‌ କୋଭିଡ୍‌ ମୃତ୍ୟୁ ୧.୦୮ ଲକ୍ଷ ଅତିକ୍ରମ କରିଛି। ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷ ପାଖକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୮୦,୮୩୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୪,୩୯,୯୮୯ ଜଣ ଦେଶବାସୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୫,୧୦୮ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୩,୮୩୨ ଜଣ, ମହାରାଷ୍ଟ୍ରରେ ୧୦,୬୯୭ ଜଣ, କର୍ଣ୍ଣାଟକରେ ୯,୭୮୫ ଜଣ ଓ ଆନ୍ଧ୍ରପ୍ରଦେଶରେ ୬,୯୫୨ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୯.୭୪ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୩୦୩ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୭୦,୩୮୪ରେ ପହଞ୍ଚିଛି।

ଶନିବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧,୯୬୬ ଜଣ, ତାମିଲନାଡୁରେ ୩୭୪ଜଣ, କେରଳରେ ୧୭୧ ଜଣ, କର୍ଣ୍ଣାଟକରେ ୧୪୪ଜଣ ଓ ପଶ୍ଚିମବଙ୍ଗରେ ୮୧ ଜଣ ରହିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୫୪,୫୩୧ ଖସି ଆସି ୧୦,୨୬,୧୫୯ରେ ପହଞ୍ଚିଛି। କ୍ରମାଗତ ସପ୍ତମ ଦିନ ପାଇଁ ସକ୍ରିୟ ହାର ୫ ପ୍ରତିଶତ ତଳେ(୩.୪୯%) ରହିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୫.୨୬ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ,ଗତ ୨୪ ଘଣ୍ଟା ଭିତରେ ପାଖାପାଖି ୩୪ ଲକ୍ଷରୁ ଅଧିକ ନାଗରିକଙ୍କର ଟିକାକରଣ କରାଯାଇଥିବା ବେଳେ ଅଦ୍ୟାବଧି ମୋଟ ୨୫,୨୮,୭୮,୭୦୨ କୋଟି ଦେଶବାସୀଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଥିରୁ ୨୦ କୋଟିରୁ ଅଧିକ ହିତାଧିକାରୀ ସେମାନଙ୍କର ପ୍ରଥମ ମାତ୍ରା କୋଭିଡ୍‌ ଟିକା ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର