ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ପ୍ରତି ୧୦ ବର୍ଷରେ ୧୫ ଲକ୍ଷ କମୁଛି

ଢାକା: ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟା କ୍ରମାଗତଭାବେ କମିବାରେ ଲାଗିଛି। ଗତ ୫୦ ବର୍ଷରେ ଦେଶରେ ଜନସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଛି। ମାତ୍ର ହିନ୍ଦୁମାନଙ୍କ କ୍ଷେତ୍ରରେ ନୁହେଁ। ହିନ୍ଦୁମାନଙ୍କ ସଂଖ୍ୟା ଏହି ସମୟ ଭିତରେ ପ୍ରାୟ ୭୫ ଲକ୍ଷ ହ୍ରାସ ପାଇଛି। ବୌଦ୍ଧ, ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମର ଲୋକ ଅଳ୍ପେବହୁତେ ପ୍ରାୟ ଅପରିବର୍ତ୍ତିତ ରହିଛି।

ସ୍ବାଧୀନ ବାଂଲାଦେଶରେ ପ୍ରଥମ ଜନଗଣନା ୧୯୭୪ ମସିହାରେ ହୋଇଥିଲା, ଯେତେବେଳେ ହିନ୍ଦୁମାନଙ୍କ ସଂଖ୍ୟା ଥିଲା ୧୩.୫ ପ୍ରତିଶତ। ଏହାପରେ ଚାରିଥର ଜନଗଣନା ହୋଇସାରିଲାଣି। ୨୦୧୧ର ସଦ୍ୟତମ ଜନଗଣନା ଅନୁସାରେ ଏହି ଦେଶରେ ହିନ୍ଦୁମାନଙ୍କ ସଂଖ୍ୟା ଏବେ ମୋଟ ଜନସଂଖ୍ୟାର ୮.୫ ପ୍ରତିଶତକୁ ହ୍ରାସ ପାଇଛି। ବାଂଲାଦେଶ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ (ବିବିଏସ୍)ର ୨୦୧୧ ଜନସଂଖ୍ୟା ରିପୋର୍ଟରେ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସର ଦୁଇଟି କାରଣ ଦିଆଯାଇଛି। ପ୍ରଥମତଃ ବହୁତ ହିନ୍ଦୁ ଦେଶ ଛାଡ଼ି ବାହାରକୁ ଚାଲିଯାଇଛନ୍ତି। ଦ୍ବିତୀୟତଃ ହିନ୍ଦୁମାନଙ୍କ ପ୍ରଜନନ ହାର ଅପେକ୍ଷାକୃତ କମ୍। ଅର୍ଥାତ୍ ହିନ୍ଦୁ ଦମ୍ପତିମାନଙ୍କର କମ୍ ପିଛାଛୁଆ ଜନ୍ମ ହେଉଛନ୍ତି। ବିବିଏସ୍ ବା ଅନ୍ୟ କୌଣସି ସରକାରୀ ସଂସ୍ଥାରେ ଧର୍ମଭିତ୍ତିକ ପ୍ରଜନନ ହାର ବା ପରିସଂଖ୍ୟାନ ଉପଲବ୍ଧ ନାହିଁ। ରାଜନେତା, ସମାଜବିଜ୍ଞାନୀ, ହିନ୍ଦୁ ସମ୍ପ୍ରଦାୟର ନେତା ଏବଂ ଗବେଷକମାନେ ଏକମତ ଯେ ଏହି ଦେଶରେ ହିନ୍ଦୁ ଜନସଂଖ୍ୟା କମିବାର ଗୋଟିଏ ପ୍ରମୁଖ କାରଣ ହେଉଛି ପରିବ୍ରାଜନ ବା ଦେଶ ଛାଡ଼ି ପଳାୟନ। ଏହି ଗଣପଳାୟନର ଏକ ଐତିହାସିକ ଧାରା ରହିଛି।

ଢାକା ବିଶ୍ବବିଦ୍ୟାଳୟର ଗବେଷକ ପ୍ରଫେସର ଅବଦୁଲ ବରାକାତ ତିନି ଦଶନ୍ଧି ଧରି ଏହି ଗଣପଳାୟନ ପଛରେ ରହିଥିବା ଅର୍ଥନୈତିକ, ରାଜନୈତିକ, ଧାର୍ମିକ ଓ ସାମାଜିକ କାରଣ ବିଷୟରେ ଗବେଷଣା କରିଆସୁଛନ୍ତି। ସେ କହିଛନ୍ତି ଯେ କୌଣସି ବ୍ୟକ୍ତି ନିଜର ଘରଦ୍ବାର ଓ ଭିଟାମାଟି ଛାଡ଼ି ଯିବାକୁ କେବେହେଲେ ଚାହେଁ ନାହିଁ। ତେଣୁ ହିନ୍ଦୁମାନେ ମନଖୁସିରେ ଦେଶ ଛାଡ଼ି ଯାଉ ନାହାନ୍ତି। ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସହି ନ ପାରି ସେମାନେ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସେ କହିଛନ୍ତି, ବହୁ ଲୋକ ଏନ୍‌ମି ପ୍ରପର୍ଟି ଆକ୍ଟ (ଶତ୍ରୁ ସମ୍ପତ୍ତି ଆଇନ) ଯୋଗୁ ସର୍ବସ୍ବ ହରାଇ ଦେଶ ଛାଡ଼ିଛନ୍ତି। ଗ୍ରାମାଞ୍ଚଳର ଦୁର୍ବଳ ହିନ୍ଦୁମାନଙ୍କ କ୍ଷେତ୍ରରେ ଏହା ବେଶି ଘଟିଛି। ଗତ ପୂଜା ସମୟରେ ଦୁର୍ଗାପୂଜା ମଣ୍ଡପରେ ପବିତ୍ର କୋରାନକୁ ରଖି ଅପବିତ୍ର କରାଯାଇଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ବହୁ ପୂଜାମଣ୍ଡପକୁ ଧ୍ବସ୍ତ କରିଦିଆଗଲା, ବହୁ ହିନ୍ଦୁଙ୍କ ଘର ପୋଡ଼ିଦିଆଗଲା ଏବଂ ଅନେକ ହିନ୍ଦୁଙ୍କୁ ହତ୍ୟା ବି କରାଯାଇଥିଲା।

୧୯୭୪ ଜନଗଣନା ଅନୁସାରେ ଦେଶର ମୋଟ ଜନସଂଖ୍ୟା ଥିଲା ୭୬,୫୯୮,୦୦୦। ହିନ୍ଦୁମାନଙ୍କ ସଂଖ୍ୟା ଥିଲା ୧୦,୩୧୩,୦୦୦, ଯାହା ମୋଟ ଜନସଂଖ୍ୟାର ୧୩.୫ ପ୍ରତିଶତ। ଅବଶିଷ୍ଟ ୮୫.୪ ପ୍ରତିଶତ ଥିଲେ ମୁସଲମାନ ଏବଂ ୧.୧ ପ୍ରତିଶତ ଅନ୍ୟାନ୍ୟ। ଜନସଂଖ୍ୟା ଯେଉଁ ହାରରେ ବଢ଼ିଛି, ହିନ୍ଦୁମାନଙ୍କ ସଂଖ୍ୟା ଯଦି ସେହି ହାରରେ ବଢ଼ିଥାନ୍ତା ତେବେ ୫୦ ବର୍ଷ ପରେ ଦେଶରେ ବର୍ତ୍ତମାନ ହିନ୍ଦୁମାନଙ୍କ ସଂଖ୍ୟା ହୋଇଥାନ୍ତା ୨୦,୨୧୯,୦୦୦। କିନ୍ତୁ ସଦ୍ୟ ଜନଗଣନା ଅନୁସାରେ ହିନ୍ଦୁମାନଙ୍କ ସଂଖ୍ୟା ହେଉଛି ମୋଟ ସଂଖ୍ୟାର ୮.୫ ପ୍ରତିଶତ। ତା’ ମାନେ ବର୍ତ୍ତମାନ ହିନ୍ଦୁମାନଙ୍କ ସଂଖ୍ୟା ହେଉଛି ୧୨,୭୦୦,୦୦୦, ଅର୍ଥାତ୍ ୫୦ ବର୍ଷରେ ଦେଶରେ ହିନ୍ଦୁମାନଙ୍କ ସଂଖ୍ୟା ୭.୫ ନିୟୁତ ବା ୭୫ ଲକ୍ଷ ହ୍ରାସ ପାଇଛି। ପ୍ରତି ୧୦ ବର୍ଷରେ ୧୫ ଲକ୍ଷ ହାରରେ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର