ସପ୍ତାହରେ ସଂକ୍ରମଣ ୬ ଗୁଣା ବୃଦ୍ଧି: ସକ୍ରିୟ ମାମଲା ୭ ଲକ୍ଷ ଟପିଲା, ୧ ଲକ୍ଷ ୮୦ ହଜାର ନୂଆ ମାମଲା

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି। ଏଥିପାଇଁ ସଂକ୍ରମଣ ବ୍ୟାପକମାତ୍ରାରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୭୯,୭୨୩ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ୧୪୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲା‌ ଆଜି ୧୩ ପ୍ରତିଶତ ବୃଦ୍ଧି ହୋଇଛି। ‌ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୫୭ କୋଟିକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୭ ଲକ୍ଷ ଟପିଛି। ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୩,୬୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧,୩୩,୦୦୮ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଦେଶ‌ରେ ୪୬,୫୬୯ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୫,୦୦,୧୭୨ରେ ପହଞ୍ଚିଛି। ଦେଶରେ ଗତକାଲି ୪୧୦ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ମୋଟ୍‌ ଓକିମ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩ରେ ପହଞ୍ଚିଛି। ୧୫୫୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୨୧୬ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୫୨୯, ଦିଲ୍ଲୀରେ ୫୧୩, କର୍ଣ୍ଣାଟକରେ ୪୪୧, କେରଳରେ ୩୩୩ ଏବଂ ଗୁଜରାଟରେ ୨୩୬ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ୨୭ ରାଜ୍ୟକୁ ଓମିକ୍ରନ୍‌ ବ୍ୟାପିଛି।

ଦେଶରେ ଗତ ସପ୍ତାହରେ ସଂକ୍ରମଣ ମାମଲା ୬ ଗୁଣା ବୃଦ୍ଧି ହୋଇଛି। ଜାନୁଆରି ୯ରେ ଶେଷ ହେଉଥିବା ସପ୍ତାହରେ ଦେଶରେ ୬,୩୮,୮୭୨ ମାମଲା ଚିହ୍ନଟ ହୋଇଛି। ଡିସେମ୍ବର ୨୭ରୁ ଜାନୁଆରି ୨ ମଧ୍ୟରେ ଏହି ସଂଖ୍ୟା ୧,୦୨,୩୩୦ ଥିବାବେଳେ ୯ ତାରିଖରେ ଶେଷ ହେଉଥିବା ସପ୍ତାହରେ ୬,୩୮,୮୭୨ ରହିଛି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୨.୦୩ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୬.୬୨ ପ୍ରତିଶତ ରହିଛି। ଦୈନିକ ପଜିଟିଭ୍‌ ହାର ୧୩.୨୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୭.୯୨ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର