ନୂଆଦିଲ୍ଲୀ: ଆଜିକାଲି ମେଦବହୁଳତା ବା ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଡାଇବେଟିସ, ହୃଦ୍ରୋଗ, ଗଣ୍ଠିବାତ ପ୍ରଭୃତି ସମସ୍ୟାର ମୂଳରେ ଏହି ମୋଟାପଣ ରହିଥିବାରୁ ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ୨୦୫୦ ସୁଦ୍ଧା ଭାରତରେ ୧୫ରୁ ୨୪ ବର୍ଷ ବୟସ ବର୍ଗର ସର୍ବାଧିକ ମେଦବହୁଳ ଯୁବକ ରହିବେ ଏବଂ ୫-୧୪ ବର୍ଷ ମଧ୍ୟରେ ଦ୍ବିତୀୟ ସର୍ବାଧିକ ମେଦବହୁଳ ବାଳକ ରହିବେ ବୋଲି ସୋମବାର ଲାନ୍ସେଟ୍ରେ ପ୍ରକାଶିତ ଏକ ବିଶ୍ଳେଷଣରେ କୁହାଯାଇଛି। ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ ଷ୍ଟଡି ବିଏମ୍ଆଇ ସହଯୋଗୀଙ୍କ ଏକ ନୂତନ ବିଶ୍ଳେଷଣ ଅନୁଯାୟୀ, ଏହି ସଂଖ୍ୟା ଦୁଇ ବୟସ-ବର୍ଗର ୭୪୬ ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୯.୪%, ଯେଉଁମାନେ ମେଦବହୁଳ ହେବେ। କେବଳ ଯୁବକ ନୁହନ୍ତି; ୨୦୫୦ ସୁଦ୍ଧା ଭାରତରେ ୪୫୦ ନିୟୁତ ବା ୧୧.୮ ପ୍ରତିଶତ ବୟସ୍କ ଲୋକ ବି ମେଦବହୁଳ ହେବେ ବୋଲି ରିପୋର୍ଟରେ କୁହାଯାଇଛି।
ବିଶ୍ଳେଷଣ ଅନୁଯାୟୀ, ବୟସ୍କ କିଶୋର କୁହାଯାଉଥିବା ୧୫-୨୪ ବର୍ଷ ବୟସବର୍ଗରେ ୨୦୫୦ ସୁଦ୍ଧା ଭାରତରେ ସର୍ବାଧିକ ୩୯.୬ ନିୟୁତ ଲୋକ ରହିବେ, ଯାହା କି ୧୯୯୦ରେ ୭.୩ ନିୟୁତ ଥିଲା। ୩୪.୩ ନିୟୁତ ସହ ଚୀନ୍ ଦ୍ବିତୀୟ ସ୍ଥାନରେ ରହିବ। ଶିଶୁ ଓ ତରୁଣ କୁହାଯାଉଥିବା ବୟସ ବର୍ଗରେ ଭାରତ ୩୦.୫ ନିୟୁତ ମେଦବହୁଳ ବ୍ୟକ୍ତିଙ୍କ ସହ ଦ୍ବିତୀୟ ସ୍ଥାନରେ ରହିବ, ଯାହା ୧୯୯୦ ମସିହାରେ ୯.୧ ନିୟୁତ ଥିଲା। ଚୀନ୍ର ଏହି ସଂଖ୍ୟା ୩୪.୩ ନିୟୁତ ରହିବ। ଫିଟ୍ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ମୋଟାପଣ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଗତ ମାସରେ ଡେରାଡୁନରେ ଆୟୋଜିତ ୩୮ତମ ଜାତୀୟ କ୍ରୀଡ଼ାର ଉଦ୍ଘାଟନୀ ସମାରୋହରେ ମୋଦୀ କହିଥିଲେ ଯେ ଦେଶରେ ମୋଟାପଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଏକ ଚିନ୍ତାର ବିଷୟ। କାରଣ ଏହା ମଧୁମେହ ଓ ହୃଦ୍ରୋଗ ଭଳି ଅଣସଂକ୍ରାମକ ରୋଗ ଆଶଙ୍କା ବଢାଇଥାଏ। ସେ ସନ୍ତୁଳିତ ଆହାର ଓ ବ୍ୟାୟାମ ଉପରେ ଗୁରୁତ୍ବ ଦେଇଥିଲେ।
ଉଚ୍ଚ ଆୟକାରୀ ଦେଶମାନଙ୍କ ମଧ୍ୟରେ ଆମେରିକାରେ ମୋଟାପଣ ହାର ସର୍ବାଧିକ ଥିଲା, ୨୦୨୧ରେ ପ୍ରାୟ ୪୨% ପୁରୁଷ ଓ ୪୬% ମହିଳା ମୋଟାପଣ ଦ୍ୱାରା ପ୍ରଭାବିତ ହୋଇଥିଲେ। ଭାରତରେ ୨୦୨୧ରେ ୧୭୯.୬ ନିୟୁତ ବୟସ୍କଙ୍କର ଅଧିକ ଓଜନ ଥିଲା। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୪୫୦ ନିୟୁତ ହେବ ବୋଲି ଅନୁମାନ କରାଯାଉଛି, ଯାହା ଚୀନର ୬୨୭ ନିୟୁତ ପରେ ଦ୍ବିତୀୟ ସର୍ବାଧିକ। ବର୍ତ୍ତମାନ ବିଶ୍ୱର ୪୩.୪% ବୟସ୍କ ଲୋକ ମେଦବହୁଳତାର ଶିକାର ହେଉଛନ୍ତି ଏବଂ ବର୍ତ୍ତମାନର ହାରରେ ୨୦୫୦ ସୁଦ୍ଧା ୫୭.୪% ପୁରୁଷ ଓ ୪୬.୭% ମହିଳା ମୋଟାପଣର ଶିକାର ହେବେ ବୋଲି ଏହି ବିଶ୍ଳେଷଣରେ କୁହାଯାଇଛି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୋଟାପଣକୁ ନିର୍ଦ୍ଧାରଣ କରିବାର ମାନଦଣ୍ଡରେ ସଂଶୋଧନ କରିଥିଲା ଏବଂ ମୋଟାପଣ ନିର୍ଣ୍ଣୟ ପାଇଁ ବିଏମ୍ଆଇ ଗଣନା ସହିତ ଅଣ୍ଟା ପରିଧି ମାପ ଯୋଡିଥିଲା। ମ୍ୟାକ୍ସ ହେଲ୍ଥକେୟାରର ଏଣ୍ଡୋକ୍ରିନୋଲୋଜି ଓ ମଧୁମେହ ବିଭାଗର ଅଧ୍ୟକ୍ଷ ଡାକ୍ତର ଅମ୍ବରୀଶ ମିତ୍ତଲ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସହଜରେ ଉପଲବ୍ଧ ହେବା ଏବଂ ଲୋକମାନେ ମୁଖ୍ୟତଃ ଅଚଳ ଜୀବନଶୈଳୀ ଆପଣାଉଥିବାରୁ ମୋଟାପଣ ବୃଦ୍ଧି ପାଉଛି।