ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଛି। କେରଳରେ ୯ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଜୟପୁରରେ ୪ ମାମଲା ଚିହ୍ନଟ ହୋଇଛି। କେରଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ କହିଛନ୍ତି, ବିଦେଶ ରାଷ୍ଟ୍ରରୁ ଏର୍ନାକୁଲମକୁ ଫେରିଥିବା ୬ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ତିରୁଅନନ୍ତପୁରମ୍କୁ ଫେରିଥିବା ଅନ୍ୟ ୩ ଜଣ ଅନ୍ତର୍ଜାତୀୟ ଯାତ୍ରୀ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଏର୍ନାକୁଲମରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ବ୍ରିଟେନରୁ ଫେରିଥିବା ବେଳେ ଜଣେ ମହିଳା ଏବଂ ଜଣେ ବାଳକ ତାଂଜାନିଆରୁ ଆସିଛନ୍ତି। ଘାନା ଏବଂ ଆୟରଲାଣ୍ଡରୁ ଫେରିଥିବା ଅନ୍ୟ ୨ ଜଣ ଯାତ୍ରୀ ବି ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ରରେ ୬୫, ତେଲେଙ୍ଗାନାରେ ୨୪, କେରଳରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮ ଏବଂ ଗୁଜରାଟରେ ୧୪ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ୩ ଓମିକ୍ରନ୍ ମାମଲା ରହିଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୨ ଲେଖାଏଁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଚଣ୍ଡିଗଡ଼, ଲଦାଖ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୬,୩୧୭ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୭୮,୧୯୦। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୨୨ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୪୦ ପ୍ରତିଶତ ଏବଂ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୦୧,୯୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪,୭୮,୩୨୫। ଦୈନିକ ପଜିଟିଭ୍ ହାର ୦.୫୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୫୮ ପ୍ରତିଶତ ରହିଛି।
ଓମିକ୍ରନ୍ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ ଆଜି
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ୍ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଆଜି ସୁଦ୍ଧା ୧୫ ରାଜ୍ୟରେ ୨୦୦ରୁ ଅଧିକ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବାରୁ ସତର୍କତା ପଦକ୍ଷେପ, ନୂଆ କଟକଣା ଏବଂ ଟିକାକରଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାର ଏହବେ ରାଜ୍ୟମାନଙ୍କୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓମିକ୍ରନ୍ ଡେଲ୍ଟା ପ୍ରଜାତି ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ ହୋଇଥିବାରୁ ଦେଶବ୍ୟାପୀ କ୍ଷିପ୍ର ସଂକ୍ରମଣ ହେଲେ ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କୁହାଯାଉଛି।
ଅହମଦାବାଦ ଦୈନିକ ସଂକ୍ରମଣରେ ୧୫୪ ପ୍ରତିଶତ ବୃଦ୍ଧି
ଅହମଦାବାଦ : ଅହମଦାବାଦରେ ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ଅଚାନକ ବୃଦ୍ଧି ହୋଇଛି। ଅହମଦାବାଦରେ ଦୈନିକ ସଂକ୍ରମଣ ମାମଲାରେ ୧୫୪ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଗୁଜରାଟରେ ଦୈନିକ ସଂକ୍ରମଣ ମାମଲାରେ ୨୬ ପ୍ରତିଶତ ବୃଦ୍ଧି ହୋଇଛି। ଗୁଜରାଟରେ ଗତ ୨୪ ଘଣ୍ଟାରେ ୮୮ ନୂଆ ମାମଲା ଚିହ୍ନଟ ହୋଇଛି। ସୋମବାର ଦିନ ଗୁଜରାଟର ସଂକ୍ରମଣ ମାମଲା ୭୦ ଥିଲା। ଅନ୍ୟପକ୍ଷେ ଅହମଦାବାଦରେ ସୋମବାର ଦିନ ଦୈନିକ ସଂକ୍ରମଣ ମାମଲା ୧୩ ଥିବାବେଳେ ଆଜି ଏହା ୩୩କୁ ବୃଦ୍ଧି ପାଇଛି। ଗୁଜରାଟରେ ୫୮୯ ସକ୍ରିୟ ମାମଲା ସହ ୫ ମାସରେ ଏହା ସର୍ବାଧିକ। ଅନ୍ୟପକ୍ଷେ ସୁରଟ ସହରରୁ ୧୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଭଦୋଦରା ସହରରୁ ୧୧, ରାଜକୋଟ ସହରରୁ ୬, ଖେଡ଼ା ଏବଂ ଭଲସାଦରୁ ୫ ଲେଖାଏଁ ମାମଲା ଚିହ୍ନଟ ହୋଇଥିବା ବେଳେ ନବସରିରୁ ୪ ମାମଲା ଚିହ୍ନଟ ହୋଇଛି। ପୌର ନିଗମ ଅଞ୍ଚଳରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଅଧିକ ଟେଷ୍ଟିଂ ପାଇଁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥାଇପାରେ ବୋଲି କୁହାଯାଉଛି।
୩ ରାଷ୍ଟ୍ରରେ ଓମିକ୍ରନ୍ ମୃତ୍ୟୁ, ବ୍ରିଟେନ୍ରେ ଦିନକରେ ୧ ଲକ୍ଷ ୬ ହଜାର ସଂକ୍ରମିତ
ନୂଆଦିଲ୍ଲୀ : ବିଶ୍ବରେ ୩ଟି ରାଷ୍ଟ୍ରରେ ଓମିକ୍ରନ୍ ମୃତ୍ୟୁ ହୋଇଛି। ପ୍ରଥମେ ବ୍ରିଟେନ୍ରେ ଓମିକ୍ରନ୍ ମୃତ୍ୟୁ ହେବାପରେ ଗତକାଲି ଆମେରିକା ଏବଂ ଆଜି ଇସ୍ରାଏଲ୍ରେ ଓମିକ୍ରନ୍ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲର ବୀରଶେବା ସହରର ସୋରକା ହସ୍ପିଟାଲ୍ରେ ଆଜି ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଇସ୍ରାଏଲ ୬୦ ବର୍ଷର ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଚତୁର୍ଥ ଡୋଜ୍ ଟିକା ଦେବା ଆରମ୍ଭ କରିବ। ବୋଲି ଘୋଷଣା କରିଛି। ବ୍ରିଟେନରେ ମୋଟ୍ ୧୪ ଜଣଙ୍କର ଓମିକ୍ରନ୍ରେ ମୃତ୍ୟୁ ହୋଇଛି। ଓମିକ୍ରନ୍ ଯୋଗୁଁ ବ୍ରିଟେନ୍ରେ ରେକର୍ଡ ସଂକ୍ରମଣ ସାମ୍ନାକୁ ଆସୁଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ବ୍ରିଟେନରେ ୧ ଲକ୍ଷ ୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜାପାନରେ ବୁଧବାର ଦିନ ଓମିକ୍ରନ୍ ପ୍ରଜାତି ଜନିତ ଗୋଷ୍ଠୀ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିବାରୁ କଟକଣା ବଢ଼ାଇ ଦିଆଯାଇଛି ସ୍ବାସ୍ଥ୍ୟ ମନ୍ତ୍ରୀ ଶିଗେୟୁକି ଗୋଟ କହିଛନ୍ତି, ଓସାକାରେ ଓମିକ୍ରନ୍ର ୩ ସଂକ୍ରମଣ ମାମଲାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା କୁହାଯାଉଛି। କାରଣ ଏଠାରେ ସଂକ୍ରମଣର କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।