ମୁମ୍ବାଇ: ମୁମ୍ବାଇରେ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ସଂକ୍ରମଣ ସହ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୪ ଦିନରେ ମୁମ୍ବାଇରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ସୋମବାର ମୁମ୍ବାଇରେ ୫୭୪ ଜଣ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅନ୍ୟପକ୍ଷେ ରବିବାର ଦିନ ମୁମ୍ବାଇରେ ୫୦୩ ଜଣ , ଶନିବାର ଦିନ ୩୮୯, ଶୁକ୍ରବାର ଦିନ ୪୯୭ ଜଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତଥ୍ୟ ଅନୁଯାୟୀ ମୁମ୍ବାଇରେ ୩୦,୫୬୫ କୋଭିଡ୍ ବେଡ୍ରୁ ୧୨.୨ ପ୍ରତିଶତ ବେଡ୍ ଭର୍ତ୍ତି ହୋଇସାରିଛି ଏବଂ ୨୭୨୦ ଆଇସିୟୁ ବେଡ୍ରୁ ୧୪ ପ୍ରତିଶତ ଭର୍ତ୍ତି ହୋଇସାରିଛି। ରବିବାର ଦିନ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଆଡମିଟ୍ ହୋଇଥିବା ପ୍ରାୟ ୫୬ ରୋଗୀଙ୍କର ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ପଡ଼ିଥିଲା। ଅନ୍ୟପକ୍ଷେ ସୋମବାର ଦିନ ମୁମ୍ବାଇରେ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ କରିଥିବା ରୋଗୀଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି।
ମୁମ୍ବାଇରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ମୁମ୍ବାଇ ମେୟର କିଶୋରୀ ପେଡନେଗର କହିଛନ୍ତି ଯଦି ମୁମ୍ବାଇରେ ସଂକ୍ରମଣ ମାମଲା ୨୦ ହଜାର ଟପିବ ତେବେ ଲକ୍ଡାଉନ୍ ହେବ। ତେବେ ମୁମ୍ବାଇ କରୋନାର ସୁନାମିକୁ ସାମ୍ନା କରିବାପାଇଁ ବି ପ୍ରସ୍ତୁତ ଅଛି ବୋଲି ମେୟର କହିଛନ୍ତି। ଓମିକ୍ରନ୍ ଅତ୍ୟନ୍ତ ସଂକ୍ରାମକ ଏବଂ ଏହା ଅତ୍ୟନ୍ତ ଚିନ୍ତାଜନକ। କିନ୍ତୁ ମୁମ୍ବାଇ କରୋନାର ସୁନାମିକୁ ବି ସାମ୍ନା କରିବାପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ମେୟର କହିଛନ୍ତି, ଆମେ ତୃତୀୟ ଲହର ପାଇଁ ପ୍ରସ୍ତୁତ। ଆମ ପାଖରେ ଲିକ୍ବିଡ୍ ଅକ୍ସିଜେନ୍ ପ୍ଲାଣ୍ଟ୍ ରହିଛି, ହସ୍ପିଟାଲ୍ ବେଡ୍ ବାଦ୍ ୩୦ ହଜାରରୁ ଅଧିକ ବେଡ୍ ଏବଂ ବିଶାଳ ଅସ୍ଥାୟୀ କୋଭିଡ୍ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି।