ନୂଆଦିଲ୍ଲୀ: ଭାରତର ୫୬ଟି ଜିଲ୍ଲାରେ ନୂଆ କରୋନା ସଂକ୍ରମିତ ମିଳୁ ନାହାନ୍ତି। ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ମଧ୍ୟ ଆମ ଦେଶରେ ୮%ରୁ ବଢି ୧୫%ରେ ପହଞ୍ଚିଛି। କେବଳ ଦିଲ୍ଲୀରେ ୨୦୦୦ ରୋଗୀଙ୍କ ମଧ୍ୟରୁ ୨୯୦ ଜଣ ଘରକୁ ବାହୁଡ଼ିଛନ୍ତି। ଏକ ହଟ୍ସ୍ପଟ୍ ଥିବା ରାଜସ୍ଥାନର ଭିଲ୍ୱାଡ଼ା ଏବେ ସଂପୂର୍ଣ କରୋନାମୁକ୍ତ। ସେହିପରି କସରାଗୋଡ଼ରେ ୧୬୮ ଜଣଙ୍କ ମଧ୍ୟରୁ ୧୧୩ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି। ରାଜସ୍ଥାନରେ ଗେଟିଏ ପ୍ରାଇଭେଟ୍ ହସପିଟାଲରେ କାର୍ଯ୍ୟରତ ୧୭ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ହସପିଟାଲକୁ ସିଲ୍ କରାଯାଇଥିଲା। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲ କସରାଗୋଡ (କେରଳ) ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି। ବିଭିନ୍ନ ନିଷେଧାତ୍ମକ ପ୍ରତିକାରମୂଳକ ପଦକ୍ଷେପକୁ ସେଠାରେ ଦୃଢ଼ତାର ସହ କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲାର ବହୁସଂଖ୍ୟକ ବାସିନ୍ଦା ବିଦେଶରେ ରହୁଥିବାରୁ ସଂକ୍ରମଣର ଦୁଇଟି ପ୍ରବାହ ଲକ୍ଷ୍ୟ କରାଯାଇଥିଲା। ପ୍ରଥମ ପ୍ରବାହ ଥିଲା ଫେବ୍ରୁଆରିରେ ଚୀନ୍ ଫେରନ୍ତା ଛାତ୍ରଛାତ୍ରୀ ଏବଂ ଦ୍ୱିତୀୟ ପ୍ରବାହ ଥିଲା ମାର୍ଚ ମଧ୍ୟଭାଗରେ ମଧ୍ୟପ୍ରାଚ୍ୟରୁ ଫେରନ୍ତା ବ୍ୟକ୍ତିଗଣ। ସେହିପରି ଦିଲ୍ଲୀରେ ମଧ୍ୟ ଦିଲ୍ଶାଦ୍ ଗାର୍ଡେନ୍, ବସୁନ୍ଧରା ଏନ୍କ୍ଲେଭ୍ ଓ ଖିଚିରପୁର ଆଦି ଅଞ୍ଚଳରେ କରୋନା ବ୍ୟାପିଥିଲେ ସୁଦ୍ଧା ମାର୍ଚ ୩୧ ପରେ ଦୁଇ ସପ୍ତାହ ହେଲା କୌଣସି ନୂଆ ସଂକ୍ରମିତ ଠାବ ହୋଇନାହାନ୍ତି। ସଂକ୍ରମିତ ଜୋନ୍ ବଢୁଥିଲେ ସୁଦ୍ଧା ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୬ଟି ଜିଲ୍ଲାରେ ଦୁଇ ସପ୍ତାହ ହେଲା ନୂଆ ପଜିଟିଭ୍ ମାମଲା ଠାବ ହୋଇନାହିଁ। ତେଣ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟବିଭାଗ ପିଲିଭିତ, ମହାରାଜଗଂଜ ଓ ହଥରସ୍ ଜିଲ୍ଲାଗୁଡ଼ିକୁ କୋଭିଡ୍-୧୯ମୁକ୍ତ ଜିଲ୍ଲା ରୂପେ ଘୋଷଣା କରିଛି। କାରଣ ଏହି ଜିଲ୍ଲାର ସଂକ୍ରମିତ ସମସ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଏବଂ ନୂଆ ସଂକ୍ରମଣ ଠାବ ହୋଇନାହିଁ।
ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୮%ରୁ ୧୫%କୁ ବଢ଼ିଲା
/sambad/media/post_attachments/wp-content/uploads/2020/04/corona-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)