ରେଳ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫

ମୃତ୍ୟୁସଂଖ୍ୟା ଲୁଚାଇବାର ଉଦ୍ଦେଶ୍ୟ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାର ୨୮୮ ପ୍ରାଣ ହରାଇଥିବା ଘୋଷଣା ହୋଇଥିଲା। ମାତ୍ର ଏହି ସଂଖ୍ୟାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ସମୁଦାୟ ୨୭୫ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ କେତେକ ମୃତଦେହକୁ ଦୁଇଥର ଗଣନା ବା ଡବଲ କାଉଣ୍ଟିଂ ହୋଇଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲା। ଜିଲ୍ଲାପାଳଙ୍କ ଲିଖିତ ତଥ୍ୟ ଅନୁଯାୟୀ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ୧୦୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ବାକି ୧୬୭ ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୨୭୫ଟି ମୃତଦେହ ମଧ୍ୟରୁ ୧୯୦ ଟି ଭୁବନେଶ୍ୱରକୁ ଅଣାଯିବ। ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ୧୮୦୦୩୪୫୦୦୬୧ ଟ୍ରୋଲ ଫ୍ରି ନମ୍ବର ଜାରି କରାଯାଇଛି। ସେମାନେ ଏହି ନମ୍ବରରେ କଲ କରିପାରିବେ। ରାଜ୍ୟ ସରକାରଙ୍କ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରିବେ। ତାଙ୍କୁ କୌଣସି ଅସୁବିଧା ହେବ ନାହିଁ। କେବଳ ଓଡ଼ିଶା ଲୋକଙ୍କ ପାଇଁ ୧୯୨୯ ନମ୍ବର ଜାରି କରାଯାଇଛି। ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରି‌ବେ।

ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳ ଦୁର୍ଘଟଣାରେ ଅଧିକ ସଂଖ୍ୟାରେ ମୃତ୍ୟୁ ହୋଇଥିବା ନେଇ ପ୍ରଶ୍ନ କରିଥିଲେ। ତେବେ ଶ୍ରୀ ଜେନା ଏହାକୁ ଖଣ୍ଡନ କରିବା ସହିତ ଏହି ସମସ୍ତ କାର୍ଯ୍ୟ ଜନସାଧାରଣ, ସାମ୍ବାଦିକଙ୍କ ସାମ୍ନାରେ କରାଯାଇଛି। ମୃତ୍ୟୁସଂଖ୍ୟା ଲୁଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ଦୁର୍ଘଟଣାରେ ସମୁଦାୟ ୧୧୭୫ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୩୬ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏବେ ୩୮୨ ଜଣ ଆହତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରେ ୩୮ଜଣ ଓଡ଼ିଶା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାଜ୍ୟ ସରକାର ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଓଡ଼ିଶା ବାଦ୍ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା ଆଦି ରାଜ୍ୟରୁ ଆହତଙ୍କ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର