କଟକଣା ସତ୍ତ୍ୱେ ବଢ଼ୁଛି ପ୍ରକୋପ : ୨୪ ଘଣ୍ଟାରେ ୧୪୦୮ ସଂକ୍ରମିତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୨୦

ଗୁଜରାଟ, ବିହାର, ପଶ୍ଚିମବଂଗରେ ସମସ୍ୟା ବଢ଼ୁଛି

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଆଜି ଆକ୍ରାନ୍ତ ସଂଖ୍ୟା ୨୪,୬୨୦ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୧୪୦୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ଆଜି ପଶ୍ଚିମବଂଗରେ ୫୭ ଜଣ, ଆନ୍ଧ୍ରପ୍ରଦେଶରେ ୬୧ ଜଣ, କର୍ଣ୍ଣାଟକରେ ୧୫ ଜଣ ଏବଂ ବିହାରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଆଜି ସୁଦ୍ଧା ୭୭୫ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୫୦୬୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ଏବେ ଦେଶର ୨୬ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଂଚଳରେ ବ୍ୟାପିଛି। ମହାରାଷ୍ଟ୍ର ପରେ ଗୁଜରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ୬୮୭୧ ଆକ୍ରାନ୍ତ ଥିବା ବେଳେ ଗୁଜରାଟରେ୨୮୧୫ ଆକ୍ରାନ୍ତ ଅଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଟପିଛି। ମଧ୍ୟପ୍ରଦେଶରେ ସଙ୍କଟ ବଢ଼ୁଥିବାର ଶିବରାଜ ସରକାର ଏବେ କେରଳ ମଡେଲ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ୧୦୨୯ ଜଣ ରୋଗୀ କେବଳ ଇନ୍ଦୋର ସହରରେ ଅଛନ୍ତି। ଭୋପାଳରେ ୩୬ଟି ମାମଲା ଥିବା ବେଳେ ରାଜ୍ୟରେ ୯୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି।
ଉତ୍ତରପ୍ରଦେଶରେ ୧୧୧ ଜଣ ନୂଆ ଆକ୍ରାନ୍ତ ଗତକାଲି ଚିହ୍ନଟ ତି। ରାଜ୍ୟର ସମସ୍ତ ହଟ୍‌ସ୍ପଟ୍‌ ଅଂଚଳରେ କଠୋର କଟକଣା କାର୍ଯ୍ୟକାରୀ ହୋଇଥିବା ବେଳେ ଘରକୁ ଘର ବୁଲି ସନ୍ଦିଗ୍ଧଙ୍କୁ ଠାବ କରାଯାଉଛି। ବିହାର ଓ ପଶ୍ଚିମବଂଗରେ ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବଢ଼ୁଥିବାରୁ ଏହି ଦୁଇ ରାଜ୍ୟ ଉପରେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ନଜର ରହିଛି। ଉତ୍ତର ବେଙ୍ଗାଲରେ କଠୋର ଲକ୍‌ଡାଉନ୍‌ ପାଇଁ କେନ୍ଦ୍ରୀୟ ଟିମ୍‌ ସୁପାରିଶ କରିଛନ୍ତି। ଦିଲ୍ଲୀର ସମସ୍ତ ୯୨ ହଟ୍‌ସ୍ପଟ୍‌ ଅଂଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି। ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩୯୪ ମାମଲା ଚିହ୍ନଟ ହୋଇଥିବାରୁ ଏଠାରେ ଲକ୍‌ଡାଉନ୍‌କୁ ବଢ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଆଜି ସାଂଘାଇରୁ ୧୮ଟନ୍‌ ମେଡିକାଲ ସାମଗ୍ରୀ ନେଇ ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଦିଲ୍ଲୀ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଏଥିରେ ଜରୁରୀ ମେଡିକାଲ ଉପକରଣ ରହିଛି।

ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ସରକାର ପୁନଃଚିନ୍ତନ କରନ୍ତୁ: ଶିବଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ପୁନଃଚିନ୍ତନ କରନ୍ତୁ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅଧୀନରେ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଆଜି କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ରାଜ୍ୟମାନଙ୍କ ସହିତ କାହିଁକି ବିମର୍ଶ କରାଗଲା ନାହିଁ। ଏହା ଠିକ୍‌ ବିମୁଦ୍ରାୟନ ନିଷ୍ପତ୍ତି ଭଳି ହେଲା। ଦାଦନଶ୍ରମିକମାନଙ୍କ ଯନ୍ତ୍ରଣା ଉପରେ ସମବେଦନା ପ୍ରକାଶ ପରି ସେ ମନେ ପକାଇଦେଇଛନ୍ତି ”ଜାଏ ତୋ ଜାଏ କାହାଁ…” (ଟାକ୍ସି ଡ୍ରାଇଭର-୧୯୫୪) ହିନ୍ଦୀ ଚଳଚ୍ଚିତ୍ର ଗୀତକୁ। ଅଳ୍ପ ଦିନ ମଧ୍ୟରେ କଂଗ୍ରେସ ନେତାଏ କରୋନାକାଳୀନ ଗଠନମୂଳକ ପରାମର୍ଶ ଦେଇ ଚର୍ଚାରେ ଥିବା ବେଳେ ଏହି ଧାରାରେ ଶିବଲ ଯୋଗ ଦେଇଛନ୍ତି। ଲକ୍‌ଡାଉନ୍‌ର ଶେଷ ସପ୍ତାହରେ ସୋମବାର ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଉ ଏକ ବୈଠକ କରୁଥିବାରୁ ତାହା ପୂର୍ବରୁ ଶିବଲ କହିଛନ୍ତି, ”ଆମେ କେବଳ ସମାଲୋଚନା କରୁନାହୁଁ। ଏହା ପୁନଃଚିନ୍ତନର ସମୟ ବୋଲି କହୁଛୁ। ଆମେ ସରକାରଙ୍କ ସହିତ ଅଛୁ ଏବଂ ଏହା ହେଉଛି ରଚନାତ୍ମକ ସମାଲୋଚନା।” ଏପରିକି ମହଙ୍ଗାଭତ୍ତାକୁ ୨୦୨୧ ପର୍ଯ୍ୟନ୍ତ ବନ୍ଦ କରାଯିବା ନିଷ୍ପତ୍ତିକୁ ସେ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର