ସଂସଦରେ ଓବିସି ବିଲ୍‌ ଗୃହୀତ, ଦୁଇଦିନ ଆଗରୁ ସରିଲା ମୌସୁମୀ ଅଧିବେଶନ

ଲୋକସଭାରେ କାମ ମାତ୍ର ୨୧ ଘଣ୍ଟା ହୋଇଛି

ନୂଆଦିଲ୍ଲୀ: ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ‌ଆଜି ଶେଷ ହୋଇଛି। ଅଧିବେଶନ ଆସନ୍ତା ୧୩ ତାରିଖରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଚଳାବସ୍ଥା କାରଣରୁ ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ କରି ଦିଆଯାଇଛି। ଅଧିବେଶନ ଆରମ୍ଭରୁ ପେଗାସସ୍ ସ୍ପାଏୱେର, କୃଷି ବିଲ୍ ପ୍ରତ୍ୟାହାର, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିରୋଧୀମାନେ ଉଭୟ ଗୃହରେ ପ୍ରବଳ ହୋହଲ୍ଲା ଜାରି ରଖିଥିଲେ। ବି‌ରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ପାରି ନଥିଲା। ତେବେ ଏହା ମଧ୍ୟ ସରକାର ବିନା ବିତର୍କରେ ଏକାଧିକ ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ କରାଇ ନେଇଛନ୍ତି। ଆଜି ଶେଷଦିନରେ ସରକାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇଛି। ଗତକାଲି ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। ଉକ୍ତ ବିଲ୍‌କୁ ବିରୋଧୀମାନେ ମଧ୍ୟ ସମର୍ଥନ କରିଥିଲେ। ଏହି ବିଲ୍‌ ଗୃହୀତ ହେବା ଫଳରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କ ରାଜ୍ୟରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ତାଲିକା ପ୍ରସ୍ତୁତ କରିବାର ଅଧିକାର ପାଇଛନ୍ତି। ଏଥିସହିତ ସଂସଦରେ ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ସଂଶୋଧନ ବିଲ୍‌-୨୦୨୧ ମଧ୍ୟ ଗୃହୀତ ହୋଇଛି।

ରାଜ୍ୟସଭାରେ ଆଜି ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍‌କୁ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଆଗତ କରିଥିଲେ। ଏହାଦ୍ବାରା ରାଜ୍ୟଗୁଡ଼ିକ ସେମାନଙ୍କ ନିଜସ୍ବ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପାଇବ ବୋଲି ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।
ମୌସୁମୀ ଅଧିବେଶନରେ ଗୃହ ଠିକ୍‌ ଭାବେ ଚାଲି ପାରି ନପାରିବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା କ୍ଷୋଭ ପ୍ରକାଶ କରିଛନ୍ତି। ଗୃହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ବିର୍ଲା କହିଥିଲେ ସଦସ୍ୟମାନେ ପ୍ଲାକାର୍ଡ ଧରିବା, ସ୍ଳୋଗାନ ଦେବା ଏବଂ ମଧ୍ୟଭାଗକୁ ଆସିବା ଗୃହର ପରମ୍ପରା ନୁହେଁ। ମୌସୁମୀ ଅଧିବେଶନରେ ଲୋକସଭା‌ ମାତ୍ର ୨୧ ଘଣ୍ଟା କାମ କରିପାରିଥିଲା। ଗୃହ ସମୁଦାୟ ସମୟ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ଉପଯୋଗ ହୋଇଛି ବୋଲି ବିର୍ଲା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଗୃହରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ସଂପର୍କରେ ଉଲ୍ଲେଖ କରିବାବେଳେ ନିଜର କୋହ ସମ୍ବରଣ କରି ନପାରି କାନ୍ଦି ପକାଇଥିଲେ। ଗୃହର ପବିତ୍ରତାକୁ କେତେକ ବିରୋଧୀ ସଦସ୍ୟ ନଷ୍ଟ କରିଦେଇଛନ୍ତି। ଗତକାଲି ରାତିରେ ସେ ଏଥିପାଇଁ ଶୋଇ ପାରି ନଥିଲେ ବୋଲି ନାଇଡ଼ୁ କହିଥିଲେ।

ନୂଆ ଜାତିଭିତ୍ତିକ ଜନଗଣନା ଏବେ ନୁହେଁ: କେନ୍ଦ୍ର
ନୂଆଦିଲ୍ଲୀ: ନୂଆ କରି ଜାତିଭିତ୍ତିକ ଜନଗଣନା ଏବେ ହୋଇପାରିବ ନାହିଁ ବୋଲି ଆଜି କହିଛନ୍ତି କେନ୍ଦ୍ର ସରକାର। ୨୦୧୧ରେ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ ପକ୍ଷରୁ ସାମାଜିକ-ଆର୍ଥିକ ଏବଂ ଜାତିଗତ ଜନଗଣନା କରାଯାଇଥିଲା। ଏଥିରେ ଅନେକ ଟେକ୍‌ନିକାଲ ସମସ୍ୟା ଥିବା ଦୃଷ୍ଟିକୁ ଆସିଥିଲା। ଏହାଛଡ଼ା ଏହା ଅନେକ ପୁରୁଣା ହୋଇ ଯାଇଥିବାରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସମ୍ବିଧାନର ୧୯୫୦ ନିୟମ ଅନୁସାରେ କେବଳ ଆଦିବାସୀ, ହରିଜନଙ୍କ ଜନଗଣନା ୨୦୨୧ରେ କାର୍ଯ୍ୟକାରୀ ହେବ। ଲୋକସଭାରେ ଆଗତ ୨୦୨୧ରେ ହେବାକୁ ଥିବା ଦଶନ୍ଧିଭିତ୍ତିକ ଜନଗଣନାରେ ଜାତିଭିତ୍ତିକ ଜନଗଣନା କରାଯିବାର ଯୋଜନା ଅଛି କି ବୋଲି ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ।

ସମ୍ବନ୍ଧିତ ଖବର