ପୁରୁଣା ଆଇନ ଏକ ବୋଝ: ମୋଦୀ

‘ଭାରତ ବନ୍ଦ’ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳି, ସୁରକ୍ଷା କଡ଼ାକଡ଼ି କରିବା ସହ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ : ବିକାଶ ପାଇଁ ସଂସ୍କାରର ଆବଶ୍ୟକତା ରହିଛି। ଅତୀତର କିଛି ଆଇନ ବର୍ତ୍ତମାନ ସମୟରେ ଏକ ବୋଝ ହୋଇଯାଇଛି। ପୁରୁଣା ଆଇନ ଦ୍ବାରା ନୂଆ‌ ଶତାବ୍ଦୀ ଗଠନ କରିହେବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଗ୍ରା ମେଟ୍ରା‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରି କହିଛନ୍ତି। ସଂସଦରେ ନିକଟ ଅତୀତରେ ଗୃହୀତ ହୋଇଥିବା ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ମୋଦୀଙ୍କର ଏଭଳି ବୟାନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମୋଦୀ କହିଛନ୍ତି ତାଙ୍କ ସରକାର ସାମଗ୍ରିକ ସଂସ୍କାରରେ ବିଶ୍ବାସ କରୁଛି। ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ଜୀବନକୁ ଅଧିକ ସହଜ କରିବା ଏବଂ ବିନିଯୋଗ ବଢ଼ାଇବା ପାଇଁ ସରକାର ଚାହୁଛନ୍ତି। ଏଥିପାଇଁ ସଂସ୍କାର ଆବଶ୍ୟକତା ରହିଛି ବୋଲି ମୋଦୀ ଆଜି ଭିଡିଓ କନଫରେନ୍ସ ଦ୍ବାରା ୩୭୯.୬୨ କୋଟି ଟଙ୍କାର ଆଗ୍ରା ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହି ମନ୍ତବ୍ୟ ରଖିଛନ୍ତି।

ନୂଆ କୃଷି ଆଇନକୁ ବି‌ରୋଧ କରି ଆସନ୍ତା କାଲି ‘ଭାରତ ବନ୍ଦ’ ଡାକରା ଦିଆଯାଇ ଥିବାବେଳେ ମୋଦୀ ସଂସ୍କାର ଉପରେ ଗୁରୁତ୍ବାରୋପ କରି ଏଭଳି ମନ୍ତବ୍ୟ ରଖିଛନ୍ତି। ନୂଆ କୃଷି ଆଇନ କିମ୍ବା କୃଷକ ଆନ୍ଦୋଳନ ସଂପର୍କରେ ପ୍ରତ୍ୟକ୍ଷ ଭାବେ ସେ କିଛି କହି ନଥିଲେ ମଧ୍ୟ ପରୋକ୍ଷରେ ସେ ନୂଆ କୃଷି ଆଇନ ଏବଂ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ହିଁ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି କୁହାଯାଉଛି। ‌ମୋଦୀ କହିଛନ୍ତି ଅତୀତରେ ଯେଉଁ ଆଇନ ଭଲ ପାଇଁ ବ୍ୟବହାର ହୋଇଥିଲା ତାହା ବର୍ତ୍ତମାନ ବୋଝ ହୋଇଯାଇଛି। ତେବେ ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା‌ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ସମସ୍ତ ସଂସ୍କାର ଲୋକମାନଙ୍କୁ ଏକ ଆତ୍ମବିଶ୍ବାସ ପ୍ରଦାନ କରିଛି। ନିକଟ ଅତୀତରେ ଏହି ବିଶ୍ବାସ ମଧ୍ୟ ପ୍ରତିଟି ନିର୍ବା‌ଚନ ଫଳାଫଳରେ ଦେଖିବାକୁ ମିଳିଛି ବୋଲି ‌ମୋଦୀ କହିଛନ୍ତି। ୨୯.୪ କିମି ବିଶିଷ୍ଟ ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପରେ ୮୩୭୯.୬୨ କୋଟି ଟଙ୍କା ବିନିଯୋଗ ହେବ। ଏହା ହେଲେ ତାଜ୍‌ ମହଲ, ଆଗ୍ରା ଦୁର୍ଗ ଆଦି ପର୍ଯ୍ୟଟନ ସ୍ଥଳକୁ ଯୋଗାଯୋଗ ସ୍ଥାପନ ହୋଇପାରିବ। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର