କ୍ୟାବିନେଟ୍‌ରେ ଆସିବ ‘ଏକ ଦେଶ, ଏକ ନିର୍ବାଚନ’ ରିପୋର୍ଟ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ପାଇଁ ୧୦୦ ଦିନିଆ ଯୋଜନାର ଏକ ଅଂଶ ଭାବରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବା ସମ୍ଭାବନା ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ଏହି କମିଟି ମାର୍ଚ୍ଚ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ପ୍ରଥମ ପଦକ୍ଷେପ ଭାବେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରିବା ଏବଂ ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ କରିବାକୁ ସୁପାରିସ କରିଥିଲା। ଆସନ୍ତା ଏକ ବା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଯୋଜନା କରିଛି। କ୍ୟାବିନେଟରେ ଦାଖଲ ହୋଇଥିବା ରିପୋର୍ଟ ଏନ୍‌ଡିଏ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ସରକାରଙ୍କ ନୂତନ କାର୍ଯ୍ୟକାଳରେ ମନ୍ତ୍ରଣାଳୟର ୧୦୦ ଦିନିଆ କାର୍ଯ୍ୟସୂଚୀର ଏକ ଅଂଶ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି।

ଗତ ବର୍ଷ ସେପ୍ଟେମ୍ବର ୨ ତାରିଖରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନର ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ଆଠଜଣିଆ କମିଟି ନିଯୁକ୍ତ କରିଥିଲେ। ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, କମିଟି ୬୨ଟି ରାଜନୈତିକ ଦଳ ସହ ଯୋଗାଯୋଗ କରିଥିଲା, ଯେଉଁଥିରୁ ୪୭ଟି ଦଳ ନିଜର ମତାମତ ଜଣାଇଥିଲେ। ୩୨ଟି ଦଳ ଏକକାଳୀନ ନିର୍ବାଚନ ସପକ୍ଷରେ ଏବଂ ୧୫ଟି ବିପକ୍ଷରେ ମତ ଦେଇଥିଲେ। ଅବଶିଷ୍ଟମାନେ କୌଣସି ଜବାବ ଦାଖଲ କରି ନ ଥିଲେ।

ଏକକାଳୀନ ନିର୍ବାଚନ ସମ୍ବଳ ସଞ୍ଚୟ, ବିକାଶ ଓ ସାମାଜିକ ସଂହତିକୁ ପ୍ରୋତ୍ସାହିତ କରିବା, ଗଣତାନ୍ତ୍ରିକ ବ୍ୟବସ୍ଥାର ଭିତ୍ତିଭୂମିକୁ ଗଭୀର କରିବା ଏବଂ ଭାରତର ଆକାଂକ୍ଷାକୁ ସାକାର କରିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏକକାଳୀନ ନିର୍ବାଚନର ଅର୍ଥ ନୁହେଁ ଯେ ତ୍ରିସ୍ତରୀୟ ସରକାର ପାଇଁ ସମଗ୍ର ଦେଶରେ ଗୋଟିଏ ଦିନରେ ମତଦାନ ହେବ। ଭାରତ ଭଳି ବିଶାଳ ଦେଶରେ ତାହା ସମ୍ଭବ ନୁହେଁ। ପର୍ଯ୍ୟାୟକ୍ରମେ ନିର୍ବାଚନ ହେବା ଦରକାର ବୋଲି କମିଟି ସ୍ପଷ୍ଟ କରିଛି। ସମ୍ବିଧାନରେ ଦୁଇଟି ସଂଶୋଧନ ପାଇଁ କମିଟି ସୁପାରିସ କରିଛି। କେନ୍ଦ୍ର କ୍ୟାବିନେଟ୍ ରିପୋର୍ଟର ବିଶ୍ଳେଷଣ କରି ମନ୍ତ୍ରଣାଳୟକୁ ପଠାଇବ। ଏହାପରେ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଲୋକସଭା/ରାଜ୍ୟସଭାର ମହାସଚିବମାନଙ୍କ ନିକଟକୁ ପଠାଇବ। ଏହାପରେ ରିପୋର୍ଟକୁ ସଂସଦରେ ଭୋଟିଂ ପାଇଁ ଉପସ୍ଥାପନ କରାଯିବ। ଲୋକସଭା ନିର୍ବାଚନରେ ବିଜେପିକୁ ସଂଖ୍ୟାଗରିଷ୍ଠତାରୁ କମ୍ ଆସନ ମିଳିଥିବାରୁ ଏନ୍‌ଡିଏ ସହଯୋଗୀ ଓ ବିରୋଧୀଙ୍କ ସହଯୋଗ ବିନା ବିବାଦୀୟ ବିଲ୍, ବିଶେଷକରି ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ବିଲ୍‌ଗୁଡ଼ିକୁ ପାସ୍ କରାଇବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର