ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ: ଟ୍ରେନ୍‌ରେ ସୁରକ୍ଷା ପଦ୍ଧତି ନେଇ ପ୍ରଶ୍ନ ଉଠାଇଲେ

କେନ୍ଦ୍ରକୁ ଟାର୍ଗେଟ୍‌ କଲେ ପୂର୍ବତନ ରେଳମନ୍ତ୍ରୀ ଲାଲୁ

ନୂଆଦିଲ୍ଲୀ: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ବିରୋଧୀ ଦଳ ନେତାମାନେ ଶୋକ ପ୍ରକାଶ କରିବା ସହ ରେଳବାଇରେ ଥିବା ସିଗନାଲ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏଭଳି ଏକ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଟିଏମ୍‌ସି ଓଡ଼ିଶାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି। ଟିଏମ୍‌ସିର ଜାତୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କ ଉପରେ ଗୁଇନ୍ଦାଗିରି କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ‌ଟ୍ରେନ୍‌ରେ ‘ଆଣ୍ଟି କଲିଜନ ଡିଭାଇସ୍‌’ ସ୍ଥାପନ ପାଇଁ ଅବହେଳା କରୁଛନ୍ତି। ରେଳମନ୍ତ୍ରୀ ତାଙ୍କ ନିଜ ବିବେକ ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ। କଂଗ୍ରେସ କହିଛି, ଓଡ଼ିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପୁଣିଥରେ ସୁରକ୍ଷା ହିଁ ସବୁଠୁ ଗୁରୁରୁତ୍ବପୂର୍ଣ୍ଣ ବୋଲି ପ୍ରମାଣ କରିଦେଇଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଓଡ଼ିଶାରେ ହୋଇଥିବା ‌ଟ୍ରେନ୍‌ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଏବଂ ଯନ୍ତ୍ରଣାଦାୟକ। ରେଳବାଇରେ ସୁରକ୍ଷା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଏହା ପୁଣିଥରେ ପ୍ରମାଣ କରିଦେଇଛି। ଆହୁରି ଅନେକ ବୈଧ ପ୍ରଶ୍ନ ବି ଏବେ ଉଠିବାର ଅଛି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗତକାଲି ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କରିଥିବା ବେଳେ ଆଜି ରେଳବାଇରେ ସୁରକ୍ଷା ଅବହେଳା ପାଇଁ ସରକାରକୁ ଦାୟୀ କରିଛନ୍ତି। ସିପିଆଇ ସାଂସଦ ବିନୟ ବିଶ୍ବମ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ଶିବସେନା (ଉଦ୍ଧବ ଠାକ୍‌ରେ) ନେତା ସଂଜୟ ରାଉତ କହିଛନ୍ତି, ରେଳ ମନ୍ତ୍ରୀ ଇସ୍ତଫା ଦେବାର ଆବଶ୍ୟକତା ରହିଛି। ଏହା ହେଉଛି ଅବହେଳା। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ରାଉତ କହିଛନ୍ତି। ବିରୋଧୀ ଦଳ ନେତାମାନେ ରେଳବାଇର ସୁରକ୍ଷା ବ୍ୟବସ୍ଥା ଅତି ଦୁର୍ବଳ ବୋଲି କହିଛନ୍ତି।

Image Courtesy of India.com

କେନ୍ଦ୍ରକୁ ଟାର୍ଗେଟ୍‌ କଲେ ପୂର୍ବତନ ରେଳମନ୍ତ୍ରୀ ଲାଲୁ

ନୂଆଦିଲ୍ଲୀ : ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପାଇଁ ଦେଶର ପୂର୍ବତନ ରେଳ ମନ୍ତ୍ରୀ ତଥା ଆର‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଲାଲୁ କହିଛନ୍ତି, ବାଲେଶ୍ବର ରେଳ ଦୁର୍ଘଟଣା ହୃଦୟବିଦାରକ ଏବଂ ଅତ୍ୟନ୍ତ ଭୟଙ୍କର। ରେଳବାଇରେ ଏହା ଏକ ବିରାଟ ତ୍ରୁଟି। ଉକ୍ତ ଘଟଣାରେ ତଦନ୍ତ ହେବା ଉଚିତ ଏବଂ ଦୁର୍ଘଟଣା ପାଇଁ ଯେଉଁମ‌ାନେ ଦାୟୀ ସେମାନଙ୍କ ବିରୋଧ‌‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହି ଦୁର୍ଘଟଣା ପାଇଁ ଏନ୍‌ଡିଏ ସରକାର ସଂପୂର୍ଣ୍ଣ ଦାୟୀ ଏବଂ ଭାରତୀୟ ରେଳ ଏବେ ଅସୁରକ୍ଷିତ ବୋଲି ଲାଲୁ କହିଛନ୍ତି।

ସମ୍ବନ୍ଧିତ ଖବର