ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ବିରୋଧରେ ମାଳଦ୍ବୀପ ମନ୍ତ୍ରୀମାନଙ୍କ ଘୃଣା ସୃଷ୍ଟିକାରୀ ମନ୍ତବ୍ୟକୁ ନେଇ ବିବାଦ ବଢ଼ୁଥିବା ବେଳେ ମାଳଦ୍ୱୀପ ସାଂସଦ ଅଲି ଅଜିମ୍ ଆଜି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଆଉ ଜଣେ ସାଂସଦ ମିକେଲ ନସିମ୍ ସଂସଦରେ ବୈଦେଶିକ ମନ୍ତ୍ରୀ ମୁସା ଜମିରଙ୍କୁ ସମନ କରି ପ୍ରଶ୍ନ ପଚାରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଚୀନ୍ ଗସ୍ତରେ ଥିବା ରାଷ୍ଟ୍ରପତି ମୁଇଜୁ ଚୀନ୍କୁ ସବୁଠାରୁ ବିଶ୍ବସ୍ତ ସହଯୋଗୀ କହିବା ସହ ଅଧିକ ପର୍ଯ୍ୟଟକ ମାଳଦ୍ବୀପ ପଠାଇବାକୁ ନିବେଦନ କରିଛନ୍ତି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୁଇଜୁ ଚୀନ୍ ଗସ୍ତରୁ ଫେରିବା ପରେ ଚଳିତ ମାସରେ ହିଁ ଭାରତ ଆସିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ମୁଇଜୁଙ୍କ ଏହି ପ୍ରସ୍ତାବ ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଚୀନ୍ ଯିବା ପୂର୍ବରୁ ମୁଇଜୁ ଭାରତକୁ ଏହି ପ୍ରସ୍ତାବ ଦେଇଥିଲେ। ଚୀନ୍ ବିଦେଶ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ଭାରତକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଚୀନ୍ ମାଳଦ୍ବୀପକୁ କହିନାହିଁ।
ମାଳଦ୍ବୀପ ଡେମୋକ୍ରାଟ୍ ଦଳର ସଦସ୍ୟ ଅଜିମ ରାଷ୍ଟ୍ରପତି ମୁଇଜୁଙ୍କୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ସର୍ବବୃହତ୍ ବିରୋଧୀ ଦଳ ଏମ୍ଡିପିକୁ ଅନାସ୍ଥା ଭୋଟ ଆରମ୍ଭ କରିବାକୁ କହିଛନ୍ତି। ତାଙ୍କ ସହଯୋଗୀ ନସିମ୍ ସଂସଦକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ବୈଦେଶିକ ମନ୍ତ୍ରୀଙ୍କୁ ସମନ କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ନେଇ ବିରୋଧୀ ସାଂସଦମାନେ ଆକ୍ରମଣ ବଢ଼ାଇଛନ୍ତି। ଏମ୍ଡିପି ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମଦ, କହିଛନ୍ତି ଭାରତ ଆମର ପୁରୁଣା ବନ୍ଧୁ। ଭାରତ ‘ଆମର ୯୧୧ କଲ୍’। ଆମର ସବୁବେଳେ ‘ଭାରତ ପ୍ରଥମ’ ନୀତି ରହିଆସିଛି ବୋଲି ସେ କହିଛନ୍ତି। ଏପରିସ୍ଥଳେ ଭାରତ ସହ ସମ୍ପର୍କ ଖରାପ କରିଥିବାରୁ ସେ ଶାସକ ଦଳର ଅଦୂରଦର୍ଶିତାକୁ ସମାଲୋଚନା କରିଛନ୍ତି।
ଅନ୍ୟତମ ଏମ୍ଡିପି ନେତା ତଥା ପୂର୍ବତନ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅହମଦ ମହଲୁଫ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭାରତୀୟ ପର୍ଯ୍ୟଟକମାନେ ତାଙ୍କ ଦେଶକୁ ବହିଷ୍କାର କରିବାର ଧାରା ଜାରି ରଖିବେ ତେବେ ମାଳଦ୍ୱୀପର ଅର୍ଥନୀତି ଉପରେ ‘ବଡ଼ ପ୍ରଭାବ’ ପଡିବ। ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ଅପମାନଜନକ ମନ୍ତବ୍ୟ ପ୍ରଦାନକୁ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ମୌସୁମ, ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ସୋଲିହ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ ମଧ୍ୟ ମୋଦୀଙ୍କ ପ୍ରତି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେମାନେ ଭାରତ ବିରୋଧରେ ଘୃଣ୍ୟ ଭାଷା ଓ କୁରୁଚିପୂର୍ଣ୍ଣ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ପୂର୍ବତନ ଉପବାଚସ୍ପତି ଇଭା ଅବଦୁଲ୍ଲା କହିଛନ୍ତି ଯେ ଏହି ମନ୍ତବ୍ୟ ‘ଜାତିବାଦୀ’ ଏବଂ ଭାରତୀୟମାନେ କ୍ରୋଧ ପ୍ରକାଶ କରିବା ଯଥାର୍ଥ। ବୈଦେଶିକ ମନ୍ତ୍ରୀ ମୁସା ଜାମିର ମନ୍ତ୍ରୀମାନଙ୍କ ବେପରୁଆ ବୟାନ ପାଇଁ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ତିନି ଜଣ ମନ୍ତ୍ରୀ ମାଲସା ସରିଫ, ମରିୟମ ସିଉନା ଏବଂ ଅବଦୁଲ୍ଲା ମହଜୁମ ମଜିଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି ଶାସକ ଦଳର ଅଡ଼ୁଆ ବଢ଼ାଇଛି।