ଟିବି ସ୍କ୍ରିନିଂ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ, କୋଭିଡ୍‌ ପାଇଁ ଟିବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ମାମଲା

ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେଉଥିବା ଅଧିକାଂଶ ରୋଗୀ ଟିବିରେ ଆକ୍ରାନ୍ତ ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ଦିଗରେ କେତେକ ଜରୁରୀ ପଦକ୍ଷେପ ନେଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୨୦୨୦ରେ ସମସ୍ତ କୋଭିଡ୍‌ ରୋଗୀଙ୍କର ଟିବି ସ୍କ୍ରିନିଂ ପାଇଁ ସୁପାରିସ କରିଥ‌ିଲା ଏବଂ ‌ଏନେଇ ନିର୍ଦ୍ଦେଶାବଳି ଜାରି ହୋଇଥିଲା। ରାଜ୍ୟମାନଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଡାକ୍ତରମାନେ କହିଛନ୍ତି, ଟିବି ରୋଗୀଙ୍କ ସଂଖ୍ୟା‌ ଅଚାନକ ବଢ଼ିଯାଇଛି। କୋଭିଡ୍‌ରୁ ସୁସ୍ଥ ହୋଇଥିବା ଅଧିକାଂଶ ରୋଗୀ ଟିବି ଆକ୍ରାନ୍ତ ହୋଇଛନ୍ତି। ତେବେ କୋଭିଡ୍‌ ଯୋଗୁଁ ଟିବି ରୋଗୀଙ୍କ ସଂଖ୍ୟା ବଢ଼ୁଛି କହିବା ନେଇ କୌଣସି ଯଥେଷ୍ଟ ବିଜ୍ଞାନ ସମ୍ମତ କାରଣ ନାହିଁ। ଉଭୟ କରୋନା ଏବଂ ଟିବି ସଂକ୍ରାମକ ଏବଂ ଦୁଇଟି ଯାକ ରୋଗ ପ୍ରଥମେ ଫୁସ୍‌ଫୁସ୍‌ ଉପରେ ହିଁ ପ୍ରଭାବ ପକାଉଛି। ତେବେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରି ପରିସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କୁହାଯାଇଛି। କରୋନା ଦ୍ବାରା ରୋଗୀମାନଙ୍କ ଫୁସ୍‌ଫୁସ ଅଧିକ ମାତ୍ରାରେ ସଂକ୍ରମିତ ହେଉଛି। କେତେକ ରୋଗୀଙ୍କ ଫୁସଫୁସ ନଷ୍ଟ ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟୁଛି।

ସମ୍ବନ୍ଧିତ ଖବର