ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଆଜି ଅଧ୍ୟାଦେଶ ଆଣିଛନ୍ତି। ଉଭୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଥିବାରୁ ଏ ବାବଦ ପ୍ରଚଳିତ ନିୟମରେ ପରିବର୍ତ୍ତନ ପାଇଁ ଅଧ୍ୟାଦେଶ ଅଣାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଅଧ୍ୟାଦେଶକୁ ମଂଜୁରି ଦେଇଛନ୍ତି। ଅଧ୍ୟାଦେଶ ଅନୁଯାୟୀ ଦୁଇ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ ହେବାପରେ ତିନି ବର୍ଷ ପାଇଁ ପ୍ରତିବର୍ଷ ଉଭୟ ସଂସ୍ଥାର ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ାଯାଇ ପାରିବ। ଜଷ୍ଟିସ୍ ଏଲ୍ଏନ୍ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏସ୍କେ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତ ମାମଲାରେ କହିଥିଲେ ଯେ କାର୍ଯ୍ୟକାଳ ସଂପ୍ରସାରଣ କେବଳ ବିଶେଷ ପରିସ୍ଥିତିରେ ହେବା ଆବଶ୍ୟକ।
ଉଭୟ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସରକାର ଦୁରୁପଯୋଗ କରୁଛନ୍ତି ବୋଲି ବିରୋଧୀ ଦଳମାନେ ଲଗାତାର ଅଭିଯୋଗ କରିଆସୁଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ସଂସଦର ଆଗାମୀ ଶୀତ ଅଧିବେଶନରେ ବିରୋଧ କରାଯିବ ବୋଲି ଜଣାପଡ଼ିଛି । ତେବେ ସରକାର କହିଛନ୍ତି ଯେ ଉଭୟ ସଂସ୍ଥା ସେମାନଙ୍କ ନୀତି ନିୟମ ଆଧାରରେ କାର୍ଯ୍ୟ କରୁଛନ୍ତି ଏବଂ ସରକାର ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରୁନାହାନ୍ତି।